ଅଫ୍‌ଏୟାର ହେବ ଶେହନାଜ-ପାରସଙ୍କ ଶୋ’ ‘ମୁଝସେ ଶାଦି କରୋଗେ’

ବମ୍ବେ: ଖୁବ୍‌ଶୀଘ୍ର ଅଫ୍‌ଏୟାର ହେବ ଶେହନାଜ୍‌ ଗିଲ-ପାରସ ଛାବଡାଙ୍କ ଶୋ’ ‘ମୁଝସେ ଶାଦି କରୋଗେ’। ଏହା ସ୍ଥାନ ନେବ ଧାରାବାହିକ ‘ଇସ୍କ ମେ ମରଜାଓ୍ବା-୨’। ଯାହା ସୂଚନା ରହିଛି, ମାର୍ଚ୍ଚ ୨୦ରେ ଶେହନାଜଙ୍କ ଶୋ’ର ଶେଷ ଏପିସୋଡ ପ୍ରସାରିତ ହେବ। ୨୩ ମାର୍ଚ୍ଚରୁ ଅନ୍ୟ ଶୋ’ ପରଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ବିଗ୍‌ବସ୍‌ର ଏଣ୍ଟରଟେନ୍‌ମେଣ୍ଟ କୁଇନ୍‌ କୁହାଯାଉଥିବା ଶେହନାଜ ଅନ୍ୟତମ ପ୍ରତିଯୋଗୀ ପାରସଙ୍କ ସହ ମିଶି ଜୀବନସାଥୀ ଖୋଜୁଛନ୍ତି। ଶୋ’ରେ ପ୍ରଥମେ ଦଶଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ନିକଟରେ ହୋଇଛି ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି। ଧିରେଧିରେ ଶୋ’କୁ ପସନ୍ଦ ମଧ୍ୟ କରୁଛନ୍ତି ଦର୍ଶକ। ଏଣୁ ଶୋ’ ବନ୍ଦ ହେବାକୁ ଯାଉଥିବା କଥା ମିଥ୍ୟା ବୋଲି କୁହାଯାଉଥିଲା। ହେଲେ ଏବେ ନୂଆ ଧାରାବାହିକ ଆସିବା ପରେ ଶୋ’ ବନ୍ଦ ହେବା ସୁନିଶ୍ଚିତ ହୋଇଛି। ଯଦି ଏପରି ହୁଏ ତେବେ ଶେହନାଜ୍‌ଙ୍କ ପ୍ରଶଂସକ କିଛିଟା ନିରାଶ ହେବେ ତ ନିଶ୍ଚୟ।

ବିଗ୍‌ବସରେ ଶେହନାଜ ସିଦ୍ଧାର୍ଥଙ୍କ ପ୍ରେମରେ ପଡ଼ିଯାଇଥିଲେ। ଶୋ’ରୁ ବାହାରିବା ସମୟରେ ଏହାକୁ ହୃଦବୋଧ କରିଥିଲେ ସେ। ହେଲେ ଘର ଭିତରେ ଥିବା ବେଳେ ସେ ‘ମୁଝସେ ଶାଦି କରୋଗେ’ ପାଇଁ ହଁ ଭରିଥିଲେ। ଫଳରେ ସେ ଏବେ ଫସି ଯାଇଥିବା ଏକାଧିକବାର କହିସାରିଲେଣି। ହେଲେ ଶୋ’ର ଫର୍ମାଟ ଅନୁଯାୟୀ ତାଙ୍କୁ ଜୀବନସାଥୀ କିଏ ହେବ ତାହା ସ୍ଥିର କରିବାକୁ ପଡ଼ିପାରେ। ଏଣୁ ସେ କାହାକୁ ବାଛିବେ ତାହା ବଜ୍‌ରେ ରହିଛି।

Share