ଅପେକ୍ଷା ଡିସେମ୍ବରକୁ

ଚୁଲ୍‌ବୁଲ୍‌ ପାଣ୍ଡେଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ସେ ଆସିବା ମାତ୍ରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଉଛି। କେମିତି ତାଙ୍କ ସହ ଦୁଇପଦ କଥା ହେବେ। ସେପଟେ ଚୁଲବୁଲ ଦର୍ଶକଙ୍କୁ କେତେ ଭଲ ପାଆନ୍ତି ତାହା କହିବା ବାହୁଲ୍ୟ। ସେମାନଙ୍କ ସହ ମନଖୋଲି କଥା ହେଉଛନ୍ତି। ଆଉ ତାଙ୍କ ସହ କିଛି ସମୟ ବିତାଇବା ପରେ ଦର୍ଶକଙ୍କ ଖୁସି କହିଲେ ନ ସରେ। ହେଲେ ଏହି ଚୁଲ୍‌ବୁଲ୍‌ ପାଣ୍ଡେ କିଏ ଜାଣନ୍ତି? ସେ ଜଣେ ପୋଲିସ ଅଫିସର। ହେଲେ ଏମିତି ଚର୍ଚ୍ଚାରେ କାହିଁକି ଅଛନ୍ତି ଜାଣିବେନି? ଏହାର ସଂଯୋଗ ବଡ଼ ପରଦା ସହ ରହିଛି। ଅର୍ଥାତ୍‌ ଏଥର ସଲ୍ଲୁ ମିଅଁା ଓରଫ ସଲ୍‌ମାନ ଖଁାଙ୍କୁ ଦର୍ଶକ ଚୁଲ୍‌ବୁଲ୍‌ ପାଣ୍ଡେ ଭୂମିକାରେ ଦେଖିବାକୁ ପାଇବେ। ଚଳଚ୍ଚିତ୍ରଟି ହେଲା ‘ଦବଙ୍ଗ-୩’। ଫିଳ୍ମଟି ଚଳିତ ବର୍ଷ ଡିସେମ୍ବର ୨୦ରେ ରିଲିଜ ହେବ। ସଲମାନଙ୍କ ହୋମ୍‌ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ପ୍ରମୋ ସମୟରେ ସଲମାନ ନିଜକୁ ଚୁଲବୁଲ ପାଣ୍ଡେ ଭାବେ ପରିଚିତ କରାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ପୋଲିସ ଗେଟ୍‌ଅପ ଏବେ ଭାଇରାଲ ହୋଇଛି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ଏଥିରେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି ସୋନାକ୍ଷୀ ସିହ୍ନା। ଅନ୍ୟପକ୍ଷରେ ଅରବାଜ ଖଁା, ମାହି ଗିଲ୍‌, ସନ୍ତୋଷ ଶୁକ୍ଳାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ସନ୍ଦୀପ ସିରୋଦକର।

Share