ଅପରେଶନ ପରେ ହରାଇଲେ ଦୃଷ୍ଟିଶକ୍ତି

କାମାକ୍ଷାନଗର, ୨୫।୨(ଡି.ଏନ.ଏ.)

ବେସରକାରୀ ଚିକିତ୍ସାଳୟର ଖାମଖିଆଲ ମନୋଭାବ ଯୋଗୁ ଜଣେ ବୃଦ୍ଧା ଆଖି ହରାଇଥିବା ଅଭିଯୋଗ ହୋଇଛି। କାମାକ୍ଷାନଗର ଏନ୍‌ଏସି ଅଧୀନ ବଡ଼ବିଲା ଗଁାର ଧଳା ପାତ୍ର (୮୦) ଏପରି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ସୋମବାର ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ଅନ୍ୟପଟେ ରୋଗୀଙ୍କ ଅବହେଳା ପାଇଁ ଚକ୍ଷୁ ନଷ୍ଟ ହୋଇଯାଇଥିବା ସିଡିଏମ୍‌ଓ କହିଛନ୍ତି।
ଧଳାଙ୍କ କହିବା କଥା, ଗତ ଜାନୁୟାରୀ ୪ରେ ଢେଙ୍କାନାଳର ସର୍ବେଶ୍ୱର ମେମୋରିଆଲ ଚକ୍ଷୁ ଚିକିତ୍ସାଳୟର ଅଧିକାରୀମାନେ ବଡ଼ବିଲା ଗ୍ରାମରେ ପହଞ୍ଚତ୍ ପ୍ରମିଳା ପାତ୍ର (୫୨), ସୂର୍ଯ୍ୟ ପାତ୍ର (୬୦), ଧଳା ପାତ୍ର (୮୦) ଏବଂ ଦେବକୀ ପାତ୍ର (୪୮)ଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ। ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁଯାୟୀ ୭ତାରିଖରେ ସମସ୍ତଙ୍କ ଆଖି ଅପରେଶନ ହୋଇଥିଲା। ୮ତାରିଖରେ ସମସ୍ତେ ଘରକୁ ଫେରିଥିଲେ। ହେଲେ ସେମାନଙ୍କୁ ଦେଖାଯାଇ ନ ଥିଲା। ସୂଚନା ପାଇ ଉପଖଣ୍ଡ ଚିକିତ୍ସାଧିକାର ଡା. ରତ୍ନାକର ସାମଲ ଚକ୍ଷୁ ବିଶେଷଜ୍ଞଙ୍କ ସହ ଗ୍ରାମରେ ପହଞ୍ଚତ୍ ଆବଶ୍ୟକ ଚିକିତ୍ସା କରାଇଥିଲେ। ଏହାପରେ ଅନ୍ୟ ୩ଜଣଙ୍କ ଦୃଷ୍ଟି ଶକ୍ତି ସ୍ବାଭାବିକ ହୋଇଯାଇଥିଲା। ହେଲେ ଧଳାଙ୍କ ଡାହାଣ ଆଖି ନଷ୍ଟ ହୋଇଗଲା। ଏହାପରେ ସେ କଟକ ଯାଇଥିଲେ, ଯେଉଁଠାରେ ତାଙ୍କ ଆଖିକୁ ବାହାର କରି ଦିଆଯାଇଥିବା ସେ କହିଛନ୍ତି। ଏବେ ତାଙ୍କର ଭୀଷଣ ମୁଣ୍ଡ ବିନ୍ଧା ହେଉଛି। ଗୋଟିଏ ଆଖି ସବୁଦିନ ପାଇଁ ହରାଇଥିବାରୁ ସେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏ ନେଇ ଜିଲାପାଳ କୁହନ୍ତି, ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ। ଏହାପରେ ପୀଡ଼ିତା ବୃଦ୍ଧାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।
ଏ ନେଇ ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କୁହନ୍ତି, ଲୋକଙ୍କୁ ଆଖି ପରୀକ୍ଷା କରାଉଥିବା ଚକ୍ଷୁ ଚିକିତ୍ସାଳୟକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥାଏ। ଆଖି ଅପରେଶନ ପରେ ସମସ୍ୟା ହେବାରୁ ସମସ୍ତଙ୍କୁ କଟକ ଯିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ବୃଦ୍ଧା ଜଣକ ଯାଇ ନ ଥିଲେ। ସେ ଯିବାବେଳକୁ ବିଳମ୍ବ ହୋଇସାରିଥିଲା। ଆଖି ନଷ୍ଟ ହୋଇଯାଇଥିଲା। ତାଙ୍କ ବୟସ ଅଧିକ ହୋଇଯାଇଥିବାରୁ ଆଉ କିଛି କରିହେବନାହିଁ। ବୃଦ୍ଧାଙ୍କ ବାମ ଆଖିକୁ ଦେଖାଯାଉଛି। ଏହା ଯେପରି ସୁସ୍ଥ ରହିବ ସେହି ବ୍ୟବସ୍ଥା କରାଯିବ।