‘ଅପରେଶନ୍‌ ମା’: ଆତଙ୍କବାଦ ଛାଡ଼ି ଘର ବାହୁଡ଼ିଛନ୍ତି ୫୦ ଯୁବକ

ଶ୍ରୀନଗର,୨୮।୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହେବାକୁ ଯାଉଛି। ପୁଣି ଏଠାରେ ଶାନ୍ତି ଫେରି ଆସୁଛି ବୋଲି ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲ୍‌ଜିତ୍‌ ସିଂ ଧିଲୋନ କହିଛନ୍ତି। ଇତିମଧ୍ୟରେ ‘ଅପରେଶନ୍‌ ମା’ ଦ୍ୱାରା ୫୦ ଯୁବକ ଆତଙ୍କବାଦ ରାସ୍ତା ଛାଡ଼ି ଘରକୁ ବାହୁଡ଼ିଛନ୍ତି। ମା’ଙ୍କ ସହିତ ଫୋନ୍‌ରେ କଥା ହେବାପରେ ସମ୍ପୃକ୍ତ ଯୁବକମାନଙ୍କ ମନରେ ବଡ଼ ପରିବର୍ତ୍ତନ ଆସିଥିବା ଧିଲୋନ କହିଛନ୍ତି। ଜମ୍ମୁ-କଶ୍ମୀରରେ ଏବେ ପଥର ଫିଙ୍ଗା ଘଟଣା ଶୂନରେ ପହଞ୍ଚିଛି। ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଶେଷ ହୋଇଯାଇଥିବାେଳେ ପରିବେଶ ଶାନ୍ତ ରହିଥିବାରୁ ୨୦୨୦ରେ ଏଠାକୁ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି। ଏପରି ହେଲେ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ତେବେ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଲଞ୍ଚ୍‌ପ୍ୟାଡ୍‌ ଏବେ ସକ୍ରିୟ ହେବାରେ ଲାଗିଛି। ଏନେଇ ଗୋଇନ୍ଦା ରିପୋର୍ଟ ମିଳିଛି। ଖରାପ ପାଗର ସୁଯୋଗ ନେଇ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ପ୍ରୟାସ କରୁଛି । ତେବେ ଏହାକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି।