ଅନ୍‌ଲାଇନ ମଦବିକ୍ରି ଆଳରେ ୨.୪୦ଲକ୍ଷ ସାଇବର ଠକେଇ

ଭୁବନେଶ୍ୱର,୨୩ା୫ (ବ୍ୟୁରୋ): କରୋନା ମହାମାରୀ ମୁକାବିଲା ନେଇ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଲକ୍‌ଡାଉନ୍‌ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଦଦୋକନ ବନ୍ଦ ରହିଥିବାବେଳେ ଅନ୍‌ଲାଇନ୍‌ ମଦ ବିକ୍ରି ଆଳରେ ମାତିଛନ୍ତି ସାଇବର ଠକ। ଅନ୍‌ଲାଇନ ଜରିଆରେ ଉଚିତ ଦାମରେ ମଦ ହୋମ ଡେଲିଭରି କରିବାର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରୁଛନ୍ତି। ବାଲିଅନ୍ତା ଥାନା ଅନ୍ତର୍ଗତ ହଂସପାଳ ଅଞ୍ଚଳରେ ରହୁଥିବା ଜୀତ ଚନ୍ଦ୍ର ମହାପାତ୍ର ଅନ୍‌ଲାଇନ ମଦ କିଣିବାକୁ ଯାଇ ୨ଲକ୍ଷ ୪୦ହଜାର ଟଙ୍କା ସାଇବର ଠକେଇର ଶିକାର ହୋଇଛନ୍ତି। ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୯୭/୨୦) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ ଲକ୍ଷ୍ମୀସାଗରସ୍ଥିତ ଏକ ମଦଦୋକାନର ଫଟୋକୁ ବ୍ୟବହାର କରି ଅନ୍‌ଲାଇନରେ ମଦ ଡେଲିଭରି କରାଯାଉଥିବା ସୋସିଆଲ ମିଡିଆରେ ସାଇବର ଠକମାନେ ବିଜ୍ଞାପନ ଦେଉଛନ୍ତି। ଏଥିରେ ଦିଆଯାଇଥିବା ଫୋନ ନମ୍ବରରେ ଯୋଗାଯୋଗ କରି ବହୁ ଯୁବକ ଠକେଇର ଶିକାର ମଧ୍ୟ ହେଉଛନ୍ତି। ଅଭିଯୋଗକାରୀ ଜୀତ ଗତ ୧୮ଅପରାହ୍ନରେ ମଦ ଅର୍ଡର କରିଥିଲେ। ଅର୍ଡରର କିଛି ସମୟ ପରେ ଉପରୋକ୍ତ ମଦ ଦୋକାନର କର୍ମଚାରୀଭାବେ ପରିଚୟଦେଇ ସାଇବର ଠକେଇରେ ସମ୍ପୃକ୍ତ ବ୍ୟକ୍ତି ଜୀତଙ୍କୁ କଲ୍‌ କରିଥିଲେ। ଫୋନ୍‌ ପେ’, ପେ’ ଟିଏମ,ଏସ୍‌ବିଆଇ ଏଟିଏମ୍‌ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ, ଗୁଗୁଲ ପେ’ ଓ ଭିମ୍‌ ଆପ ଜରିଆରେ ଉକ୍ତ ସାଇବର ଠକ ଜୀତଙ୍କୁ ଲିଙ୍କ ପଠାଇ ଓଟିପି ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ଜୀତଙ୍କ ବିଭିନ୍ନ ପେମେଣ୍ଟ ଆପ୍‌ ଓ ବ୍ୟାଙ୍କ ଆକାଉଣ୍ଟରୁ ୨ଲକ୍ଷ ୪୦ ହଜାର ଟଙ୍କା କଟିଯିବାରୁ ସେ ଠକେଇ ହେବାର ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। କେବଳ ଜୀତ ନୁହନ୍ତି ପ୍ରାୟ ୫ରୁ ଅଧିକ ବ୍ୟକ୍ତି ଏପରି ଠକେଇର ଶିକାର ହୋଇଥିବା ନେଇ ରାଜଧାନୀର ବିଭନ୍ନ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ଏପରି ଠକେଇରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରି ନାହିଁ। ଫଳରେ ଏଭଳି ସାଇବର ଠକେଇ ବଢିବାରେ ଲାଗିଛି। ଏନେଇ ଟୁଇନ୍‌ସିଟିର ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁଙ୍କୁ ପଚରିବାରେ ଏଭଳି ସାଇବର ଠକେଇ ଘଟଣା ତାଙ୍କ ନଜରକୁ ଆସିନାହିଁ। ତେବେ ଏଭଳି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।