ଅନ୍ୟ ଟ୍ୟାଙ୍କରରେ ଭରାଗଲା ଗ୍ୟାସ୍‌

ବଇଣ୍ଡା, ୫ା୩(ଡି.ଏନ.ଏ.):  ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ନିକଟ ୫୫ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ଏକ ପ୍ରୋପେନ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ନେଇ ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା। ବୁଧବାର ଅପରାହ୍ନରେ ତାହାର ଅବସାନ ଘଟିଛି। ଓଲଟିପଡ଼ିଥିବା ଟ୍ୟାଙ୍କରରୁ ଗ୍ୟାସ୍‌ ଅନ୍ୟ ଏକ ଟ୍ୟାଙ୍କରରେ ଭରାଯିବା ପରେ କ୍ରେନ୍‌ ଯୋଗେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରକୁ ହଟାଯାଇଥିଲା। ଫଳରେ ଦୀର୍ଘ ୨୪ ଘଣ୍ଟା ପରେ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
ପୋଲିସ କହିଛି, ଟ୍ୟାଙ୍କରଟି ହଳଦିଆରୁ ଛତିଶଗଡର ରାୟଗଡ ଅଭିମୁଖେ ଯାଉଥିଲା। ଚାଳକ ମଦ ନିଶାରେ ଥିବାରୁ କମରେଇ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିବାରୁ ଗ୍ୟାସ୍‌ ଲିକ୍‌ ହୋଇ ଆଖପାଖ ଗ୍ରାମରେ ଆତଙ୍କ ଖେଳାଇ ଦେଇଥିଲା। ପ୍ରଶାସନ, ପୋଲିସ ଓ ୪ଟି ଅଗ୍ନିଶମ ଟିମ୍‌ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ରାତି ପ୍ରାୟ ୧୧ଟାରେ ବାଲେଶ୍ୱର, ହଳଦିଆ ଓ ଝାରସୁଗୁଡାରୁ ୩ଟି ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁଧବାର ସକାଳୁ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଅନ୍ୟ ଏକ ଟ୍ୟାଙ୍କରରେ ଗ୍ୟାସ୍‌ ଫିଲିଙ୍ଗ କାମ ଆରମ୍ଭ ହୋଇଥିଲା। ପରେ ଜେଏସ୍‌ପିଏଲ୍‌ର ଏକ ହେଭି କ୍ରେନ୍‌ ଦ୍ୱାରା ଦୁର୍ଘଟଣାସ୍ତ ଟ୍ୟାଙ୍କରକୁ ରାଜପଥ ଉପରୁ ହଟାଯାଇଥିଲା। ଏହାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପୋଲିସ ମଦ୍ୟପାନ କରିଥିବା ଟ୍ୟାଙ୍କର ଚାଳକ ଉତ୍ତରପ୍ରଦେଶ ରସୁଲପୁର ଅଞ୍ଚଳର ରାଭରତନ ୟାଦବଙ୍କୁ ଗିରଫ କରିଛି। ଦୁର୍ଘଟଣା ଯୋଗୁ ମଙ୍ଗଳବାର ରାତିରୁ ଆଖପାଖ ଗ୍ରାମରେ ରୋଷେଇ ବନ୍ଦ ଥିବାବେଳେ ହଣ୍ଡପା, ବଇଶିଣା, ପାଗବନ୍ଧା, ନାକିଚି, କମରେଇ ଅଞ୍ଚଳବାସୀ ବସ୍‌ ସେବାରୁ ବଞ୍ଚିତ ହୋଇଥିଲେ। ସେହିପରି ଯୁକ୍ତ ୨ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରମାନେ ବସ୍‌ ନ ପାଇ ଗାଡ଼ି ଭଡ଼ା କରି ବିଭିନ୍ନ ମହାବିଦ୍ୟାଳୟରେ ବିଳମ୍ବରେ ପହଞ୍ଚି ପରୀକ୍ଷା ଦେଇଥିଲେ। ପ୍ରଶାସନ ପକ୍ଷରୁ ମଙ୍ଗଳବାର ରାତିରେ କମରେଇ ଗ୍ରାମରେ ଚୁଡା, ଚିନି, କଦଳୀ, ବିସ୍କୁଟ ବଣ୍ଟନ କରାଯାଇଥିଲା। ବୁଧବାର ପଞ୍ଚାୟତ ପକ୍ଷରୁ ମଣ୍ଡାମ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ କରି କମରେଇ ଓ ମଣ୍ଡାମ ଗ୍ରାମବାସୀଙ୍କୁ ଖାଦ୍ୟ ଯୋଗାଯାଇଥିଲା।