ଅନ୍ନଦାତା ହେବେ ଊର୍ଜାଦାତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୪-୯(ବ୍ୟୁରୋ):ଦେଶର ଅନ୍ନଦାତାମାନେ ଊର୍ଜାଦାତା ହେବେ। ଏହି ନୀତି ଆଧାରରେ ମୋଦି ସରକାର କାମ କରୁଛନ୍ତି ା ତେଣୁ ଲୋକଙ୍କ ଆୟକୁ ବଢାଇବା ପାଇଁ ବିଭିନ୍ନ କୃଷି ଉପତ୍ାଦରୁ ପ୍ରସ୍ତୁତ ଇଥାନଲର ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ା
ଧର୍ମେନ୍ଦ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆଖୁ ଚାଷୀମାନଙ୍କୁ ଲାଭ ହେବାସହ ପରିବେଶ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ପ୍ରମାଣିତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଇଥାନଲ ବ୍ଲେଣ୍ଡେଡ ପେଟ୍ରୋଲ (ଇପିବି) କାର୍ଯ୍ୟକ୍ରମରେ ବିଭିନ୍ନ କୃଷି ଉପତ୍ାଦରୁ ନିର୍ମିତ ଇଥାନଲର ମୂଲ୍ୟବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସି ହେଭି ମୋଲାସେସ୍‌ରୁ ପ୍ରାପ୍ତ ଇଥାନଲର ମୂଲ୍ୟ ଲିଟର ପ୍ରତି ୪୩.୪୬ ଟଙ୍କାରୁ ୪୩.୭୫ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ହେଭି ମୋଲେସରୁ ପ୍ରାପ୍ତ ଇଥାନଲର ମୂଲ୍ୟକୁ ୫୨.୪୩ ଟଙ୍କାରୁ ୫୪.୪୩ ଟଙ୍କା କରାଯାଇଛି। ଆଖୁ ରସ, ଚିନି, ଚିନି ସିରପରୁ ପ୍ରାପ୍ତ ଇଥାନଲର ମୂଲ୍ୟକୁ ୫୯.୫୮ ଟଙ୍କା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଛଡା ଜିଏସ୍‌ଟି ଓ ପରିବହନ ଶୁଳ୍କ ମଧ୍ୟ ଦେବାକୁ ପଡିବ। ତେଲ କମ୍ପାନୀଗୁଡିକୁ ବାସ୍ତବିକ ପରିବହନ ଶୁଳ୍କ ନିର୍ଦ୍ଧାରିତ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଇଥାନଲକୁ ଲମ୍ବା ରାସ୍ତା ଦେଇ ପରିବହନ ପାଇଁ କେହି ହତୋତ୍ସାହିତ ହେବେନାହିଁ। ପେଟ୍ରୋଲର ଆମଦାନୀରେ ନିର୍ଭରଶୀଳତା କମିବା, କୃଷି କ୍ଷେତ୍ର ଓ କୃଷକମାନଙ୍କୁ ସହାୟତା, ପରିବେଶ ଅନୁକୂଳ ଇନ୍ଧନ ତଥା ପ୍ରଦୂଷଣକୁ କମ କରିବାରେ ସହାୟତା ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।