Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ଯୁବିଙ୍କ ଅଲ୍‌ବିଦା

ମୁମ୍ବାଇ,୧୦।୬- କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୧୧ ଆଇସିସି ବିଶ୍ୱକପ୍‌ ଓ ୨୦୦୭ ଟି୨୦ ବିଶ୍ୱକପ୍‌ ହିରୋ ମୁମ୍ବାଇଠାରେ ଏକ ଖବରଦାତାଙ୍କ ସମ୍ମିଳନୀ ଡକାଇ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଆଇସିସି ସ୍ବୀକୃତିପ୍ରାପ୍ତ ବିଦେଶ ଟି୨୦ ଲିଗ୍‌ରେ ଖେଳିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଯୁବି ୨୦୧୨ରେ ଶେଷ ଥର ଲାଗି ଅନ୍ତର୍ଜାତୀୟ ଟେଷ୍ଟ ଖେଳିଥିଲେ। ସେହିଭଳି ୨୦୧୭ରେ ଭାରତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ ଫର୍ମାଟରେ ପ୍ରତିନିଧିତ୍ୱ କରିଥିଲେ। ୨୦୦୦ରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଯୁବି ମ୍ୟାନ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ୨୦୦୦ରେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କୁ ପଦାର୍ପଣ ସୁଯୋଗ ମିଳିଥିଲା। ୧୯ ବର୍ଷର ଲମ୍ବା କ୍ୟାରିୟରର କେନିୟା ବିପକ୍ଷରେ ଆରମ୍ଭ କରିଥିଲେ। କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍‌ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୮୪ ରନ୍‌ କରିଥିଲେ। ଏହିଠାରୁ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଉ ପଛକୁ ଫେରି ଚାହିଁ ନ ଥିଲେ। ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ୨୦୧୧ ଆଇସିସି ବିଶ୍ୱକପ୍‌ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଟି୨୦ ବିଶ୍ୱକପ୍‌ରେ ସେ ଗୋଟିଏ ଓଭରରେ ୬ ଛକା ଲଗାଇ ଲୋକପ୍ରିୟତା ହାସଲ କରିଥିଲେ। ସେହିଭଳି ୨୦୧୧ ବିଶ୍ୱକପ୍‌ରେ ୯୦.୫୦ ଆଭରେଜରେ ୩୬୨ ରନ୍‌ କରିବା ସହ ୧୫ ଉଇକେଟ ନେଇଥିଲେ। ଏକଦା ଦେଶର ଶ୍ରେଷ୍ଠ ସୀମିତ ଓଭର କ୍ରିକେଟ ସ୍ପେଶାଲିଷ୍ଟଙ୍କ ଫୁସ୍‌ଫୁସ ଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ। ଆମେରିକାରେ କର୍କଟ ଭଳି ମାରାତ୍ମକ ରୋଗ ସହ ଲଢ଼େଇ କରିଥିଲେ। ସଫଳତାର ସହ ରୋଗରୁ ମୁକ୍ତ ହେବା ପରେ ସେ ୨୦୧୨ରେ ପୁଣି କ୍ରିକେଟକୁ ଫେରିଥିଲେ। ଅନ୍ତିମ ଥର ତାଙ୍କୁ ଚଳିତବର୍ଷ ଆଇପିଏଲରେ ଖେଳୁଥିବାର ଦେଖିବାକୁ ମିଳିଥିଲା। ୩୭ ବର୍ଷୀୟ ଅଲରାଉଣ୍ଡର ୩୦୪ ଦିନିକିଆରୁ ୩୬.୫୫ ହାରରେ ୮,୭୦୧ ରନ୍‌ କରିଛନ୍ତି। ଏଥିରେ ୧୪ ଶତକ ଓ ୫୨ ଅର୍ଦ୍ଧଶତକ ରହିଛି। ୪୦ ଟେଷ୍ଟ ଖେଳି ୩୩.୯୨ ଆଭରେଜରେ ୧୯୦୦ ରନ୍‌ କରିଥିବାବେଳେ ୫୮ ଟି୨୦ ମ୍ୟାଚ୍‌ରୁ ୧୧୭୭ ରନ୍‌ କରିିଛନ୍ତି । ମୋ କ୍ୟାରିୟରର ବହୁ ଉତ୍‌ଥାନ୍ନ ଓ ପତନ ଦେଇ ଗତି କରିଛି। କ୍ରିକେଟ କ୍ୟାରିୟରର ବହୁ ଭଲ ଥିଲା। କିନ୍ତୁ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ସାରିଛି। ସନ୍ନ୍ୟାସ ନେବା ଲାଗି ଏହା ଉଚିତ ସମୟ ବୋଲି ଯୁବି କହିଛନ୍ତି।

Share