ଅନୁବନ୍ଧିତ ଖେଳାଳିଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବନି: ବିସିସିଆଇ

ନୂଆଦିଲ୍ଲୀ,୧୮।୫(ପି.ଟି.): ଚୁକ୍ତିବଦ୍ଧ କ୍ରିକେଟରଙ୍କ ପାଇଁ କୌଣସି ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ବିଭିନ୍ନ ସ୍ପୋଟର୍‌ସ କମ୍ପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ଅନୁବନ୍ଧିତ ଖେଳାଳିଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବନାହିଁ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି। ତେବେ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଚାଲୁ ରହିଥିବା ବେଳେ ରାଜ୍ୟ ଆସୋସିଏଶନଗୁଡିକୁ ସ୍ଥାନୀୟସ୍ତରରେ ଅଭ୍ୟାସ ଆରମ୍ଭ କରିବାକୁ ଯୋଜନା ଆରମ୍ଭ କରନ୍ତୁ ବୋଲି ବୋର୍ଡ କହିଛି।
ଧାର୍ଯ୍ୟ ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଷ୍ଟାଡିୟମ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସଗୁଡିକ ଖୋଲାଯାଇପାରିବ। କିନ୍ତୁ ଦର୍ଶକମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ। ଖେଳାଳିମାନେ ବ୍ୟକ୍ତିଗତ ସ୍ତରରେ ଅଭ୍ୟାସ କରିପାରିବେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ମେ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ରହିଥିବାରୁ ବିମାନ ଯାତ୍ରା ଓ ଲୋକଙ୍କ ଗମନାଗମନ ଉପରେ କଟକଣା ଜାରି ରହିଛି। ତେଣୁ ଟ୍ରେନିଂ କ୍ୟାମ୍ପ ଆୟୋଜନ କରିବା ପୂର୍ବରୁ ବୋର୍ଡ ନୂଆ ନିର୍ଦ୍ଦେଶନାମାକୁ ଅପେକ୍ଷା କରିବେ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। ତେବେ ରାଜ୍ୟ ଆସୋସିଏଶନଗୁଡିକ ସ୍ଥାନୀୟସ୍ତରରେ କୌଶଳ ଆଧାରିତ ଟ୍ରେନିଂ ପାଇଁ ପ୍ରୟାସ କରିପାରିବେ। କରୋନା ସଂକ୍ରମଣ ସ୍ଥିତି ସ୍ବାଭାବିକ ହେଲେ ପୂରା ଦଳ ପାଇଁ ଉପଯୁକ୍ତ ଯୋଜନା କରାଯିବ। ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଆମେ ପ୍ରାଥମିକତା ଦେଉଛୁ। ଏ ନେଇ ତରବର ହେବା ଉଚିତ ନୁହେଁ ଓ ସତର୍କତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କୋଭିଡ୍‌-୧୯ରେ ଦେଶରେ ୩,୦୦୦ ମୃତ୍ୟୁବରଣ କରିଥିବା ବେଳେ ୯୫,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ତେବେ ସାରା ବିଶ୍ୱରେ ଏବେ ୩.୧୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଓ ୪୭ ଲକ୍ଷ ସଂକ୍ରମିତ ହୋଇଛନ୍ତି।

Share