ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ ଟେଲି ଶୋ‘ମେରେ ଅଙ୍ଗନେ ମେ’ ଫେମ୍‌ ଏକତା କୋଲ ମଧ୍ୟ ନିଜର ଖୁସି ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ଏବେ ମୋ କଶ୍ମୀର ମୋତେ ମିଳିଗଲା। ସରକାର କଶ୍ମୀରରେ ଧାରା ୩୭୦କୁ ଉଚ୍ଛେଦ କରିବା ପରେ ଏକତା ସବୁଠାରୁ ବେଶି ଖୁସି ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। କାରଣ ଏକତା କଶ୍ମୀର ବାସିନ୍ଦା ହୋଇଥିବା ବେଳେ ଗତ ବର୍ଷ ସେ ଅଭିନେତା ସୁମିତ ବ୍ୟାସଙ୍କ ସହ ବିବାହ କରିଥିଲେ। ଏହାପରେ ସେ କଶ୍ମୀରର ସଦସ୍ୟତା ହରାଇଥିଲେ। ସୋମବାର ସକାଳେ ବାପାଙ୍କ ଫୋନ୍‌ କଲ୍‌ ଆସିବା ପରେ ସେ ଟିଭି ଦେଖିଥିଲେ। ସରକାରଙ୍କ ନିଷ୍ପତ୍ତି ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିବା ସହ ଉତ୍ସବ ମନାଇଥିବା ନେଇ ଏକତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିବାହ ପରେ ସେ ଅନୁଭବ କରିଥିଲେ ତାଙ୍କ ଜୀବନରେ ସବୁ କିଛି କିଭଳି ପରିବର୍ତ୍ତନ ହୋଇଯାଇଥିଲା। ଏକତା ସବୁବେଳେ କଶ୍ମୀର ଫେରିବାକୁ ଚାହୁଁଥିବା ବେଳେ ସେଠାରେ ଜମି ମଧ୍ୟ କିଣିବାକୁ ସେ ଇଛା ପ୍ରକାଶ କରୁଥିଲେ। ହେଲେ ବିବାହ ପରେ ଏହା ସମ୍ଭବ ହୋଇ ନ ଥିଲା। କାରଣ ଧାରା ୩୭୦ ଅନୁସାରେ କଶ୍ମୀର ମହିଳା ଯଦି ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ବିବାହ କରନ୍ତି ତେବେ ସେମାନଙ୍କର ରାଜ୍ୟର ନାଗରିକତା ଆଉ ରହେ ନାହିଁ। ତେବେ ଏହି ଉଚ୍ଛେଦ ପରେ କଶ୍ମୀର ମହିଳାମାନେ ଭାରତର ଯେକୌଣସି ପୁରୁଷଙ୍କୁ ବିବାହ କରିବା ସହ ତାଙ୍କର ନାଗରିକତା ମଧ୍ୟ ହରାଇବେ ନାହିଁ। ଏବେ ରାଜ୍ୟରେ ସବୁ ପରିବର୍ତ୍ତନ ହୋଇଯିବ ବୋଲି ଏକତା ଆଶା ପୋଷଣ କରିଛନ୍ତି।

Share