ଅନୁଙ୍କୁ ସୋନାଙ୍କ ଟାର୍ଗେଟ

ମୁମ୍ବାଇ: ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ସୋନି ଟିଭିକୁ ଭର୍ତ୍ସନା କରିଛନ୍ତି। ପିଲାଙ୍କ ନିମିତ୍ତ ଏକ ରିୟଲିଟି ଶୋ ପ୍ରସ୍ତୁତ ହେବାକୁ ଯାଉଥିବାବେଳେ ଏଥିପାଇଁ ସୋନି ଟିଭି ଅନୁଙ୍କୁ ସୁଯୋଗ ଦେଇଥିବାରୁ ସୋନା ତାଙ୍କ ବିରୋଧରେ ‘ମିଟୂ’ ଅଭିଯୋଗ ପୁଣି ଶେୟାର କରିଛନ୍ତି। ଅନୁ ପୁଣିଥରେ ପ୍ୟାରି ଜି.ଙ୍କ ମିଳିତ ସହଯୋଗରେ ଏକ କିଡ୍‌ସ ଶୋ’ ପ୍ରସ୍ତୁତ କରିବାକୁ ଯାଉଥିବାବେଳେ ସୋନା ଏହାକୁ ନାପସନ୍ଦ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତବର୍ଷ ଭାରତରେ ‘ମିଟୂ’ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଥିବାବେଳେ ଅନୁଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ରିୟଲିଟି ଶୋ ‘ଇଣ୍ଡିଆନ୍‌ ଆଇଡଲ’ରୁ ବହିଷ୍କାର କରାଯାଇଥିଲା। ଅନୁ ମଲିକଙ୍କ ବିରୋଧରେ ଯେତେଜଣ ଅଭିଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ସୋନା ମହାପାତ୍ର ଥିଲେ ଅନ୍ୟତମ। କୌଣସି କାରଣ ନ ଥାଇ ତାଙ୍କୁ ଅଚାନକ କାର୍ଯ୍ୟରୁ ବିଦାକରାଗଲା ବୋଲି ଅନୁ ଟୁଇଟ୍‌ କରିଥିବାବେଳେ ଏହାର ଜବାବ ଦେବାକୁ ଯାଇ ସୋନା କହିଛନ୍ତି, ‘ଚଳିତବର୍ଷ ପ୍ରାରମ୍ଭରେ ଶ୍ୱେତା ପଣ୍ଡିତ ଓ ଅନ୍ୟମାନେ ଆପଣଙ୍କ ବିରୋଧରେ ଯେଉଁ ଯୌନ ଅସଦାଚରଣ ଅଭିଯୋଗ ଆଣିଥିଲେ ତାହା ମନେ ପକାନ୍ତୁ।’ ଗତବର୍ଷ ବହୁ ବଡ ବଡ ସେଲିବ୍ରିଟି ନିଜ କ୍ଷମତାର ଅପବ୍ୟବହାର କରି ଯୌନ ନିର୍ଯାତନା ଭଳି ଘଟଣାରେ ଅଭିଯୁକ୍ତ ହୋଇଥିଲେ। ଗାୟିକା ଶ୍ୱେତା ପଣ୍ଡିତ ମଧ୍ୟ ଅନୁଙ୍କୁ ଜଣେ ଯୌନ ନିର୍ଯାତନାକାରୀ ବୋଲି ଭର୍ତ୍ସନା କରିଛନ୍ତି।

Share