ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

ଛେଣ୍ଡିପଦା,୨୬।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଭାଗିରଥିପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ୍‌ ସହ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨୭ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥରେ ଏକ ଘରୋଇ ବସ୍‌ ଝାରସୁଗୁଡାରୁ ଭୁବନେଶ୍ବର ଯାଉଥିଲା। ସେହି ସମୟରେ ବିପରୀତ ଦିଗରୁ ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରକ ବସ୍‌କୁ ଧକ୍କା ଦେଇଥିଲା। ବସ୍‌ରେ ଯାତ୍ରା କରୁଥିବା ୨୭ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ରୁ ଉଦ୍ଧର୍‌ବ ଆହତ ହୋଇଥିବା ଜଣାପଡିଛି। ଖବରପାଇ ଜରପଡା ଥାନା ପୋଲିସ ଓ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନା ଓ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଆହତଙ୍କର ଆଶୁ ଚିକିତ୍ସା କରାଯାଇଥିଲା। ଏହାପରେ ସେମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ବାହାରି ଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବସ୍‌କୁ ଜବତ କରିବା ସହ ଟ୍ରକ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।