ଅନୁଗୋଳରେ ସେକ୍ସ ର଼୍ୟାକେଟ୍‌ ଠାବ, ୫ ଗିରଫ

ଅନୁଗୋଳ ଅଫିସ/ବଅଁରପାଳ ୨୦।୮

ଅନୁଗୋଳ ଥାନା ଷ୍ଟେଶନ ରୋଡରେ ଥିବା ଏକ ଲଜ୍‌ରେ ଦେହ ବ୍ୟବସାୟ ଚାଲିଥିବା ବେଳେ ରବିବାର ରାତିରେ ଅନୁଗୋଳ ପୋଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୫ ହଜାର ଟଙ୍କା ଓ ୭ ମୋବାଇଲ୍‌ ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଏହି ର଼୍ୟାକେଟ୍‌ରେ ସମ୍ପୃକ୍ତ ଥିବା ୩ ଯୁବତୀଙ୍କୁ ଶଟ୍‌ ଷ୍ଟେ ହୋମ୍‌କୁ ପଠାଇ ଦିଆଯାଇଛି।
ରବିବାର ଦୁଇ ଜଣ ଯୁବତୀ ଉକ୍ତ ଲଜ୍‌କୁ ଆସି ଇଣ୍ଟରଭ୍ୟୁ ଥିବା କହି ରୁମ୍‌ ବୁକ୍‌ କରିଥିଲେ। ତେବେ ରାତିରେ ସେଠାରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରେ ଥିବା ୩ ଯୁବତୀଙ୍କୁ ପୋଲିସ ଶଟ୍‌ ଷ୍ଟେ ହୋମ ପଠାଇ ଦେବା ସହ ଗ୍ରାହକ ଓ ଲଜ୍‌ ମ୍ୟାନେଜର ସଞ୍ଜିତ ସିଂ, ସିକ୍ୟୁରିଟି କର୍ମଚାରୀ ମନୋଜ ପରିଡ଼ା, ରେଙ୍ଗାଳି ଅଞ୍ଚଳର ଡକ୍ଟର ବିଶ୍ୱାଳ, ତ୍ରିଲୋଚନ ବିଶ୍ୱାଳ, ଛେଣ୍ଡିପଦା ଅଞ୍ଚଳର ପପୁନ ବିଶ୍ୱାଳଙ୍କୁ ଗିରଫ କରିଥିଲା। ୨୦ ଦିନ ହେବ ଉକ୍ତ ଲଜ୍‌ରେ ଦେହ କାରବାର ଚାଲିଥିଲା ବୋଲି ପୋଲିସ ସୂଚନା ଦେଇଛି। ଅନୁଗୋଳ ଆଇଆଇସି ରମେଶ ଚନ୍ଦ୍ର ବିଶୋଇଙ୍କ ତତ୍ତ୍ବାବଧାନରେ ସବ୍‌ଇନ୍ସପେକ୍ଟର ସୌମ୍ୟା ରାୟ, ପ୍ରକାଶ ମାଝି, ପ୍ରଶାନ୍ତ ସାହୁ, ଜୟଚନ୍ଦ୍ର ସାହୁ ପ୍ରମୁଖ ଏହି ଚଢ଼ାଉ କରିଥିଲେ। ତେବେ ଦୀର୍ଘ ଦିନ ହେଲା ଅନୁଗୋଳ ସହରରେ ଦେହ ବ୍ୟବସାୟ ଚାଲିଥିବାବେଳେ ଏହାକୁ ପୋଲିସ ରୋକିବାରେ ସଫଳ ହୋଇ ନ ଥିବା ଆଲୋଚନା ହେଉଛି।