ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ଅଭିଯୁକ୍ତଙ୍କୁ ଧରିବା ଲାଗି ଗଠନ ହେଲା ୩ ଟିମ୍‌

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ ରବିବାର ନିଜ ଆଡ଼ୁ ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ବୋଲି ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ତିନୋଟି ଟିମ୍‌ ଗଠନ କରି ଛାନଭିନ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିଆଇଜି କହିଛନ୍ତି। ଅପରପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟର ତିନି ଜଣିଆ ଡାକ୍ତର ଟିମ୍‌ ନାବାଳିକାଙ୍କ ଚିକିତ୍ସା ଦାୟିତ୍ୱରେ ରହିଛନ୍ତି।

ପ୍ରକାଶଯୋଗ୍ୟ, କିଛି ଯାଯାବର ପରିବାର ଅନୁଗୋଳ ସହରକୁ କାମ କରିବା ଲାଗି ଆସି ରହୁଛନ୍ତି। ଶନିବାର ରାତିରେ ବର୍ଷା ହେଉଥିବାରୁ ନାବାଳିକାଙ୍କ ସହ ତାଙ୍କ ପରିବାର ଏକ ଦୋକାନ ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ମାରପିଟ୍‌ କରିବା ସହ ବଳାତ୍କାର କରିଥିଲେ। ପରେ ସେ ମୃତ ହୋଇଯାଇଥିବା ସନ୍ଦେହ କରି ଏକ ଅଳିଆ ଗଦାରେ ନାବାଳିକାଙ୍କୁ ଫିଙ୍ଗି ଫେରାର ହୋଇଯାଇଥିଲେ। ସକାଳେ ପରିବାରଲୋକେ ଝିଅକୁ ଖୋଜାଖୋଜି କରିବା ପରେ ଅଳିଆ ଗଦାରେ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।