ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ସମାଧାନର ବାଟ ନ ବାହାରିଛି ସେ ପର୍ଯ୍ୟନ୍ତ ଅଭିନେତା ଅନୀଲ କପୁରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଯାଉ। କାରଣ ପରଦା ଉପରେ ସେ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ଭାବେ କରିଥିବା କାର୍ଯ୍ୟକୁ ପୂରା ଦେଶ ଦେଖିସାରିଛି। ତେବେ ଏନେଇ ଫଡ୍‌ନବିସ ଓ ଆଦିତ୍ୟ କ’ଣ କହୁଛନ୍ତି ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ୟୁଜର୍ସଙ୍କ ଏଭଳି ବୟାନରେ ଅନୀଲ କପୁର ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ନାୟକ ଭାବେ ଠିକ୍‌ ଅଛି’। ଏଥିସହ କ୍ୟାପଶନ୍‌ରେ ସେ ଏକ ଚଷମା ପିନ୍ଧିଥିବା ସ୍ମାଇଲି ଇମୋଜି ଦେଇ ଶେୟାର କରିଛନ୍ତି। ଟୁଇଟରରେ ଏହି ବାର୍ତ୍ତା ଶେୟାର ହେବା ପରେ ବହୁ ୟୁଜର୍ସ ଏହି ପରାମର୍ଶକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଫିଲ୍ମ ନାୟକରେ ଅନୀଲ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏହି ଚରିତ୍ର ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ସଦୃଶ ସାଜିଥିଲା।

Share