ଅନାହାର ପୀଡ଼ିତଙ୍କୁ ମାରିବା ପାଇଁ ‘ଡେଥ୍‌ ସ୍କ୍ବାଡ୍‌’ ଗଠିତ

କାରାକସ,୧୮।୭: ଭେନେଜୁଏଲାର ଖାଦ୍ୟ ସଙ୍କଟ ପରିସ୍ଥିତି ବିଷୟରେ ବିଶ୍ୱବାସୀଙ୍କ ଅଳ୍ପବହୁତେ ଜ୍ଞାନ ରହିଛି। ଏଠାରେ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଖାଦ୍ୟର ଘୋର ଅଭାବ ଫଳରେ ଲୋକେ ଅନାହାରରେ ମରିବା ସହ ଦେଶ ଛାଡି ଅନ୍ୟତ୍ର ଚାଲି ଯାଉଛନ୍ତି। ତେବେ ଏଠାରେ ଏବେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ଯାଇ ହଜାର ହଜାର ଲୋକଙ୍କୁ ମାରି ଦିଆଯାଉଥିବା ଜଣାପଡିଛି। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଏଠାକାର ସରକାରଙ୍କ ଦ୍ୱାରା ଗଠିତ ସ୍ପେଶାଲ ଫୋର୍ସର ‘ଡେଥ୍‌ ସ୍କ୍ବାଡ୍‌’ ଏପର୍ଯ୍ୟନ୍ତ କୁଆଡେ ହଜାର ହଜାର ଲୋକଙ୍କୁ ମାରି ସାରିଲେଣି। ଏହାକୁ ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଜାତିସଂଘର ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଏଥିପାଇଁ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଦାୟୀ। ସେ କୁଆଡ଼େ ତାଙ୍କ ବିରୋଧୀଙ୍କୁ ଟାର୍ଗେଟ କରି ଏପରି କରୁଛନ୍ତି। ହେଲେ ଏହା ମିଥ୍ୟା ବୋଲି କହିଛନ୍ତି ସରକାର। ଜାତିସଂଘ ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ସେଠାକାର ଯୁବକମାନଙ୍କୁ ବେଆଇନ ଭାବେ ଜେଲ ପଠାଇ ସେମାନଙ୍କୁ ମାରି ଦିଆଯାଉଛି। ୨୦୧୮ରେ ଏଠାରେ ପ୍ରାୟ ୫ହଜାର ୨ଶହ ୮୭ ଜଣଙ୍କୁ ମାରି ଦିଆଯାଇଥିବା ବେଳେ ୨୦୧୯ ମେ’ ସୁଦ୍ଧା ୧୫ଶହ ୬୯ଜଣଙ୍କୁ ମାରି ଦିଆଯାଇଛି ବୋଲି ଜାତିସଂଘ ରିପୋର୍ଟ କହିଛି।

Share