ଅନନ୍ତନାଗରେ ଓଡ଼ିଆ ଯବାନ ଶହୀଦ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଜମ୍ମୁ କଶ୍ମୀରର ଅନନ୍ତନାଗରେ ଓଡ଼ିଆ ଯବାନ ଅଜିତ ସାହୁ ଶହୀଦ ହେବା ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସେ ଶହୀଦଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଅଜିତ ଦେଶର ସୁରକ୍ଷା ଓ ଏକତା ଲାଗି ଚରମ ତ୍ୟାଗ ଓ ବଳିଦାନ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଅନନ୍ତନାଗ ଜିଲାରେ ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବା ଯୋଗୁ ଜଣେ ଯବାନ ଶହୀଦ ହେବା ସହ ୮ଯବାନ ଆହତ ଓ ୩ ଗୁରୁତର ହୋଇଥିଲେ। ଶହୀଦ ଯବାନ ଅଜିତ୍‌ଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଗ୍ରାମରେ ବୋଲି ଜଣାପଡ଼ିଥିଲା। ୨୦୧୫ରେ ସେ ଆର୍ମୀରେ ଯୋଗ ଦେଇଥିବା ବେଳେ ମଙ୍ଗଳବାର ସେ ଶହୀଦ ହୋଇଥିବା ନେଇ ଘରକୁ ଫୋନ୍‌ ଆସିଥିଲା। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତେବେ ବୁଧବାର ଶହୀଦଙ୍କ ମରଶରୀର ଗ୍ରାମକୁ ଅଣାଯିବ ବୋଲି ଜଣାପଡ଼ିଛି।