ଅଧ୍ୟାପିକା ଆତ୍ମହତ୍ୟା ମାମଲା: ଝାରପୋଖରିଆ ଆଇଆଇସି ନିଲମ୍ବିତ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମୟୁରଭଞ୍ଜ ଜିଲାରେ ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁ ଝାରପୋଖରିଆ ଆଇଆଇସିଙ୍କୁ ଶରତ ମହାଳିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ସତ୍ୟଜିତ୍‌ ମହାନ୍ତି। ସୂଚନାଯୋଗ୍ୟ, ରାଇରଙ୍ଗପୁରସ୍ଥିତ ଏକ କଲେଜ ହଷ୍ଟେଲର ଏକ କୋଠରିରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଶନିବାର ରାତିରେ ଉଦ୍ଧାର କରିଥିଲା। ଗତ ଅକ୍ଟୋବର ୨୬ ତାରିଖରେ ବଳାତ୍କାରର ଶିକାର ହୋଇଥିବା ଏହି ଅଧ୍ୟାପିକା ଝାରପୋଖରିଆ ଥାନାରେ ସେହିମାସ ୩୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ହାତବାନ୍ଧି ବସି ରହିଥିଲା। ମାନସିକ ଚାପ ସାଙ୍ଗକୁ ଧମକ ଓ ବ୍ଲାକମେଲିଂର ଶିକାର ହୋଇଥିଲେ ଏହି ଅଧ୍ୟାପିକା। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି।