Categories: ଜାତୀୟ

ଅଧିକ ହଇରାଣ କଲେ ପତ୍ନୀଙ୍କ ସହ ଆତ୍ମହତ୍ୟା କରିବି: ଭାଜପା ବିଧାୟକ

ବରେଲି,୧୩।୭: ଭାରତୀୟ ଜନତା ପାର୍ଟି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଜଣେ ଦଳିତ ଯୁବକଙ୍କୁ ବିବାହ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାକ୍ଷୀ ସୋସିଆଲ ମିଡିଆରେ ତାଙ୍କ ସୁରକ୍ଷାକୁ ନେଇ ଅନୁରୋଧ କରିଥିବା ବେଳେ ଅନ୍ୟପଟେ ତାଙ୍କ ପିତା ରାଜେଶ କହିଛନ୍ତି ଝିଅ ମୋ ସହ ଦଳିତ କାର୍ଡ ଖେଳୁଛି। ଆଉ ଏହି ବିବାହକୁ ନେଇ ଯଦି ତାଙ୍କୁ ଅଧିକ ହଇରାଣ କରାଯାଏ ତେବେ ସେ ପତ୍ନୀଙ୍କ ସହ ମିଶି ଆତ୍ମହତ୍ୟା କରିବେ। ସୂଚନାଯୋଗ୍ୟ, ସାକ୍ଷୀ ଜଣେ ଦଳିତ ଯୁବକଙ୍କୁ ବିବାହ କରିବା ପରେ ତାଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ। ଏମିତିକି ସାକ୍ଷୀ ତାଙ୍କ ସ୍ବାମୀଙ୍କ ସହ ରାଜ୍ୟ ବାହାରକୁ ଚାଲି ଯାଇଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେହି ଭିଡିଓରେ ଉଭୟ ସାକ୍ଷୀ ଓ ତାଙ୍କ ସ୍ବାମୀ କହିଥିଲେ କି ସାକ୍ଷୀଙ୍କ ପିତା ରାଜେଶ ମିଶ୍ରା ଓ ତାଙ୍କ ଭାଇ ତାଙ୍କୁ ମାରି ଦେବାକୁ ଚାହୁଁଛନ୍ତି। ତେଣୁ ତାଙ୍କୁ ସୁରକ୍ଷା ଦିଆଯାଉ। ଏହାକୁ ନେଇ ଗଣମାଧ୍ୟମ ରାଜେଶଙ୍କୁ ପ୍ରଶ୍ନ କରିବା ପରେ ରାଜେଶ ଏହାକୁ ଖଣ୍ଡନ କରିଥିଲେ। ଆଉ ଏହାକୁ ନେଇ ଯଦି ତାଙ୍କୁ ଅଧିକ କିଛି ପ୍ରଶ୍ନ କରାଯାଏ ବା ହଇରାଣ କରାଯାଏ ତେବେ ସେ ଆତ୍ମହତ୍ୟା ଧମକ ଦେଇଛନ୍ତି।

Share