ଅଧିକ ସମୟ ସୋସିଆଲ ମିଡିଆ ବ୍ୟବହାର ହାନିକାରକ, ବେଳ ଥାଉଥାଉ ହୋଇଯାଆନ୍ତୁ ସତର୍କ

ଆଜିକାଲିର ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ସୋସିଆଲ ମିଡିଆ। ଆବାଳବୃଦ୍ଧବନିତା ଏହାର ପ୍ରେମରେ। ହେଲେ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ସମୟ ଏହାର ବ୍ୟବହାର କରୁଥାଆନ୍ତି, ତେବେ ସତର୍କ ହୋଇଯାଆନ୍ତୁ। ଏହା ଏକ କୁଅଭ୍ୟାସ। କାରଣ ଏହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଏହାଦ୍ୱାରା ସୃଷ୍ଟି ହୋଇପାରେ।

ଯେପରିକି:

ନିଦ ନହେବା: ବିଶେଷକରି ୧୦ରୁ ୧୨ ବର୍ଷର ଶିଶୁମାନେ ଏଭଳି ସମସ୍ୟା ଭୋଗିଥାଆନ୍ତି। ଏତେ ଛୋଟ ବୟସରୁ ସେମାନେ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହେବା ଦ୍ୱାରା ଅଧିକ ସମୟ ସେମାନେ ଏଠାରେ ହିଁ ବିତାଇଥାଆନ୍ତି, ଯାହାକି ଭଲ ନୁହେଁ। ଏଣୁ ପିଲାମାନଙ୍କୁ ଏସବୁକୁ ନେଇ ସଚେତନ କରାନ୍ତୁ।

ପ୍ରଭାବିତ ହୋଇଥାଏ ଦିନଚର୍ଯ୍ୟା: ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ମଡେଲମାନଙ୍କ ଦିନଚର୍ଯ୍ୟା ଓ ଶରୀର ଗଠନ ଉପରେ ନଜର ଆସିଥାଏ। ଫଳରେ ଅନେକେ ସେମାନଙ୍କ ଭଳି ନଜରକୁ ଆସିବାକୁ ଚେଷ୍ଟା କରିଥାଆନ୍ତି। ପତଳା ଶରୀର ପାଇବା ଲାଗି ଅନେକେ ଖାଇବା ଛାଡ଼ି ଦେଇଥାଆନ୍ତି, ନଚେତ ଖାଇବା କମ୍‌ କରିଦେଇଥାଆନ୍ତି। ଫଳରେ ଅନେକ ସମସ୍ୟା ଉପୁଜିଥାଏ।

ଈର୍ଷାଳୁ କରିଥାଏ: ସୋସିଆଲ ମିଡିଆ ଯୋଗୁ ଜଣେ ଅନ୍ୟ ଜଣକ ସହ ନିଜକୁ, ନିଜ ପରିସ୍ଥିତିକୁ ତୁଳନା କରିଥାଏ। ଫଳରେ ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ। ମନରେ ଈର୍ଷାଳୁ ପ୍ରବୃତ୍ତି ବୃଦ୍ଧି ହୋଇଥାଏ।