Categories: ନୟାଗଡ଼

ଅଧିକ ମୂଲ୍ୟରେ ମଦ ବିକ୍ରିକୁ ବିରୋଧ କର୍ମଚାରୀଙ୍କ ଗୁଳିମାଡ଼ରେ ଜଣେ ଗୁରୁତର

ଭାପୁର/ଖଣ୍ଡପଡ଼ା,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ନୟାଗଡ଼ ଜିଲା ଫତେଗଡ଼ ଥାନା ଭାପୁର ବଜାରସ୍ଥିତ ଏକ ମଦ ଦୋକାନରେ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରିକୁ ବିରୋଧ କରି ସୋମବାର ସନ୍ଧ୍ୟାରେ ଦୋକାନ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏ ସମୟରେ କର୍ମଚାରୀଙ୍କ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ ଓ ଗୁଳିମାଡ଼ରେ ଜଣେ ଗ୍ରାହକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ହେଲେ ପିଠାଖାଇ ଗ୍ରାମର ସାଗର ଲେଙ୍କା(୨୫)। ଗୁଳିଟି ତାଙ୍କ ମୁଣ୍ଡରେ ବାଜି ଗୁରୁତର ହେବାରୁ ଚିକିତ୍ସା ପାଇଁ ପ୍ରଥମେ ସାଗରଙ୍କୁ ଭାପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ଅଧିକ ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବରରୁ ପ୍ରକାଶ, ଭାପୁର ବଜାରସ୍ଥିତ ଏକ ବିଦେଶୀ ମଦ ଦୋକାନରେ କିଛି ମାସ ହେଲା ଅଧିକ ମୂଲ୍ୟରେ ମଦ ବିକ୍ରି ଅଭିଯୋଗ ହୋଇଆସୁଥିଲା। ସୋମବାର ନିକଟସ୍ଥ ଗ୍ରାମର ୨ ଯୁବକ ମଦ କିଣିବା ବେଳେ ଧାର୍ଯ୍ୟଠାରୁ ଅଧିକ ମୂଲ୍ୟକୁ ନେଇ ଉକ୍ତ ଯୁବକ ଓ ଦୋକାନ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୋକାନ କର୍ମଚାରୀ ସାଗରଙ୍କୁ ଆକ୍ରମଣ କରିଥିଲେ। ଏହି ଖବର ପାଇ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସେଠାରେ ପହଞ୍ଚତ୍ ଗଣ୍ଡଗୋଳ କରିବା ସହ ମଦଦୋକାନ ଭଙ୍ଗାରୁଜା କରିଥିଲେ ା ଗଣ୍ଡଗୋଳରେ ଗୋଟିଏ ବାଇକ୍‌ ଓ ମଦ ଦୋକାନ ଭାଙ୍ଗିଯାଇଛି ା ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।