Categories: ଜାତୀୟ

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ନୂଆଦିଲ୍ଲୀ,୨୩।୪: ମହାରାଷ୍ଟ୍ରରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଗରିବ ମହିଳା ନିଜ ଇଛାରେ ଗର୍ଭାଶୟ ବାହାର କରୁଛନ୍ତି। ଏଥି ପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ ଠିକାଦାରଙ୍କଠାରୁ ନେଉଛନ୍ତି। ପରେ ଠିକାଦାରଙ୍କ ଆଖୁ ଜମିରେ କାମ କରି ଏହାକୁ ସୁଝୁଛନ୍ତି। ସ୍ଥାନୀୟ ବିଡ୍‌ ଜିଲାରେ ବର୍ଷସାରା ମରୁଡ଼ି ପଡ଼ିଥାଏ। ତେଣୁ ବିବାହିତା ମହିଳା ଅଧିକ ସମୟ କାମ କରିବା ପାଇଁ ଜାଣିଶୁଣି ଏଭଳି କରିଥାନ୍ତି। ମାତ୍ର ଏହାର ଖରାପ ପ୍ରଭାବ ସେମାନଙ୍କର ଶରୀର ଉପରେ ପଡ଼ିଥାଏ। ଏଠାରେ ଆଖୁ ଚାଷୀଙ୍କ ଜମିରୁ ଆଖୁ କାଟିବା ପାଇଁ ସମୟ ଭିତ୍ତିକ ଠିକା ନିଆଯାଇଥାଏ। ଏଥିରେ ଋତୁସ୍ରାବ ହେଉଥିବା କମ୍‌ ବୟସ୍କ ମହିଳାଙ୍କୁ ନିୟୋଜିତ କରିବାକୁ ଠିକାଦାର ଅରାଜି ହୋଇଥାନ୍ତି। ତେଣୁ ମହିଳାମାନେ ଗୋଟିଏ ଦୁଇଟି ସନ୍ତାନ ପରେ ଅପରେଶନ କରି ଗର୍ଭାଶୟ ବାହାର କରି ଦେବାକୁ ପସନ୍ଦ କରନ୍ତି। ଏଭଳି କରି ସେମାନେ ମାସ ମାସ ଧରି ଆଖୁ କଟାରେ ନିୟୋଜିତ ହୋଇ ନିଜର ଆର୍ଥିକ ଅବସ୍ଥା ଦୂର କରନ୍ତି। ତେବେ ଏଭଳି କାର୍ଯ୍ୟ ବିରୋଧରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ସଚେତନତା ଅଭିଯାନ।

Share