‘ଅଧିକାଂଶ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡି ନେତା ସାମିଲ’

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ମହିଳାଙ୍କ ସହ ବଳାତ୍କାର, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଭାବେ ଶାସକ ଦଳ ନେତା ଓ କର୍ମୀମାନେ ବିଭିନ୍ନ ବଳାତ୍କାର ଘଟଣାରେ ସାମିଲ ଥିବା ପ୍ରମାଣ ମିଳୁଛି। ଯାଜପୁର ଜିଲା କୁଆଖିଆ ରସୁଲପୁର ବ୍ଲକ ଅତଲପୁର ପଞ୍ଚାୟତର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଶାସକ ଦଳର ଜଣେ ସରପଞ୍ଚ ଏଭଳି କାଣ୍ଡ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, କ୍ଷମତାର ଅହଙ୍କାର ଓ ଔଦ୍ଧତ୍ୟତା ଶାସକ ଦଳର ପରିଚୟ। ଏହା ସମଗ୍ର ନାରୀ ସମାଜ ପ୍ରତି ଲଜ୍ଜାର ବିଷୟ। ପୀଡିତା ଜଣକ ଘରକୁ ଫେରିବା ପରେ ଘଟଣାକୁ ଥାନାରେ ଆପୋସ ବୁଝାମଣା କରି ରଫାଦଫା କରିବାକୁ ଶାସକ ଦଳ ନେତା ପ୍ରୟାସ ଚଳାଇଛନ୍ତି। ଏଥିଲାଗି ପୀଡିତାର ବାପାଙ୍କୁ ଧମକ ମିଳୁଛି। ଯାଜପୁର ଜିଲାରେ ବାରମ୍ବାର ଏଭଳି ସମ୍ବେଦନଶୀଳ ଘଟଣା ଘଟି ଚାଲିଛି। ଶାସକ ଦଳ ନେତା ଓ କର୍ମୀ ଏଭଳି କର୍ମରୁ ନିଜକୁ ଦୂରେଇ ନ ରଖିଲେ ଆଗାମୀ ଦିନରେ ଭାଜପା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଲେଖାଶ୍ରୀ କହିଛନ୍ତି। ଲେଖାଶ୍ରୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ, ଭାଜପା ନେତ୍ରୀ ସବୁବେଳେ ନାରୀଙ୍କୁ ନେଇ ଭୁଲ୍‌ ତଥ୍ୟ ଏବଂ ସମ୍ବେଦନହୀନ ମନ୍ତବ୍ୟ ରଖୁଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ସେ ଏଭଳି ମନ୍ତବ୍ୟ ରଖି ଆସୁଥିଲେ। ଲୋକମାନେ ଏହାକୁ ବୁଝିପାରି ନିର୍ବାଚନ ଫଳାଫଳରେ ତାହା ଦେଖାଇ ଦେଲେ ବୋଲି ସୁଲତା କହିଛନ୍ତି।