ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଲେ ସେବକ: ମହାପ୍ରଭୁଙ୍କର ହେଲା ମହାସ୍ନାନ, ନୀତି ବିଳମ୍ବ

ପୁରୀ ଅଫିସ, ୬ା୬: ଶ୍ରୀମନ୍ଦିରରେ ବୁଧବାର ଅବକାଶ ନୀତି ଚାଲିଥିବାବେଳେ ଜଣେ ସେବକ ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଥିଲେ। ଫଳରେ ନୀତି ବିଭ୍ରାଟ ହେବାରୁ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ଦ୍ୱିତୀୟଥର ଲାଗି ଠାକୁରଙ୍କ ଅବକାଶ ନୀତି ପ୍ରାୟ ଦେଢ ଘଣ୍ଟା ବିଳମ୍ବ ହୋଇଛି।
ସୂଚନା ମୁତାବକ, ସକାଳେ ଠାକୁରଙ୍କ ଅବକାଶ ନୀତି ଚାଲିଥିଲା। ପାଳିଆ ସିଂହାରୀ ସେବକମାନେ ଜଳ ଲାଗି କରୁଥିଲେ। ଆହୁରି କିଛି ସମୟ ଜଳ ଲାଗି ବାକି ରହିଥିଲା। ଏହି ସମୟରେ ଜଣେ ଖୁଣ୍ଟିଆ ସେବକ ଅବକାଶ ଜଳ ପିଙ୍ଗଣକୁ ଉଠାଇ ଆଣିଥିଲେ। ଏଥିଯୋଗୁ ନୀତିରେ ବ୍ୟାଘାତ ଘଟିଥିଲା। ସେହିଠାରେ ନୀତି ଅଟକାଇ ମହାସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପୂଜାପଣ୍ଡା ସେବକଙ୍କୁ ଡକାଯାଇଥିଲା। ସାଧାରଣତଃ ପୂଜାପଣ୍ଡା ସେବକମାନେ ଅବକାଶ ବଢିବା ପରେ ରୋଷହୋମରେ ଯୋଗଦେଇଥାନ୍ତି। କିନ୍ତୁ ଅବକାଶ ଚାଲିଥିବାରୁ ପୂଜାପଣ୍ଡା ଆସି ନ ଥିଲେ। ସେ ପହଞ୍ଚତ୍ବା ପରେ ମହାସ୍ନାନ ପାଇଁ ପ୍ରସ୍ତୁତି ହୋଇଥିଲା। ଅବକାଶ ସମୟରେ ଠାକୁର ଲୁଗା ଓ ଚାଦର ପରିଧାନ କରିଥିଲେ। ମହାସ୍ନାନ ଯୋଗୁ ଠାକୁରଙ୍କ ମଇଲମ କରାଯାଇଥିଲା। ଠାକୁରଙ୍କୁ କେବଳ ଲୁଗା ପରିଧାନ (ଏକ କାନିଆ) କରାଯାଇଥିଲା। ପୁଣି ମହାସ୍ନାନ ଲାଗି ଭିତର ଧୁଆ ହୋଇଥିଲା। ମହାସ୍ନାନ ପରେ ପୁଣିଥରେ ଅବକାଶ ଲାଗି ଲୁଗା ଓ ଚାଦର ପିନ୍ଧାଯାଇଥିଲା। ଏଥିଯୋଗୁ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ହୋଇଥିଲା। ତେବେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରକାର ବିଳମ୍ବ କିମ୍ବା ବିଭ୍ରାଟ ଯେପରି ନ ହୁଏ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ସେବକମାନଙ୍କୁ ଚେତାବନୀ ଦେଇଛି। ଏହାସତ୍ତ୍ବେ ବେଳେବେଳେ କେତେଜଣ ସେବକଙ୍କ ଯୋଗୁ ନୀତିରେ ବିଳମ୍ବ ଘଟୁଛି। ସମ୍ପୃକ୍ତ ସେବାୟତ ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇ ଆସିବାରୁ ମହାସ୍ନାନ ହୋଇ ପୁଣିଥରେ ଠାକୁରଙ୍କର ଅବକାଶ ହେଲା। ତେଣୁ ନୀତି ବିଳମ୍ବ ହୋଇଥିଲା ଏବଂ ପରେ ସ୍ବାଭାବିକ ହୋଇଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।