ଅଧାପନ୍ତରିଆ ଅବସ୍ଥାରେ ୧୮ ପ୍ରକଳ୍ପ

ବନ୍ତ, ୨୨।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକରେ ଦିଗହରା ହୋଇପଡ଼ିଛି ଗ୍ରାମ୍ୟ ଜଳ ଯୋଗାଣ ଯୋଜନା। ସରକାରଙ୍କ ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ସ୍ବଚ୍ଛ ପାନୀୟଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଯୋଜନା କିନ୍ତୁ ଫେଲ୍‌ ମାରିଥିବା ଦେଖିବାକୁ ମିଳିଛି। ବ୍ଲକର ୨୫ ପଞ୍ଚାୟତରେ ମୋଟ ୩୮ଟି ପ୍ରକଳ୍ପ ମଞ୍ଜୁର ହୋଇଥିବା ଜଣାପଡ଼ିଛି। ୨୦୧୩-୧୪ ଓ ୨୦୧୪-୧୫ରୁ ଅଧିକାଂଶ ପ୍ରକଳ୍ପ ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ସରକାରୀ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ମାତ୍ର ୨୦ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୧୮ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିଥିବା ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି।
ପଞ୍ଚାୟତର ସମସ୍ତ ଗ୍ରାମକୁ ପାଇପ୍‌ ସଂଯୋଗ କରାଯାଇ ପ୍ରତି ପରିବାରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ସକାଶେ ଏହି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୧୬ ସୁଦ୍ଧା ସମସ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଥିଲା। ଧାର୍ଯ୍ୟ ସମୟ ଯାଇ ୩ ବର୍ଷ ବିତିଗଲାଣି। କାର୍ଯ୍ୟ କରୁଥିବା ଏଜେନ୍ସି ଧାର୍ଯ୍ୟ ସମୟରେ କାମ ଶେଷ କରୁ ନ ଥିବାରୁ ଯୋଜନାର ଉଦ୍ଦେଶ୍ୟ ସାଧିତ ହୋଇପାରୁ ନ ଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଅଣିଜୋରେ ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରକଳ୍ପ ମଞ୍ଜୁର ହୋଇଥିଲା। ୨୦୧୪ ଜୁନ ୧୦ରେ କାମ ଆରମ୍ଭ କରାଯାଇ ୨୦୧୫ ଜୁଲାଇ ୧୦ରେ କାର୍ଯ୍ୟ ସାରିବାର ଥିଲା। ଅଦ୍ୟାବଧି ୧୫ ଲକ୍ଷ ୭୮ ହଜାର ୧୨୦ ଟଙ୍କା ଖର୍ଚ୍ଚ ସରିଥିଲେ ବି କାର୍ଯ୍ୟ ଶେଷ ହୋଇପାରି ନାହିଁ। ସେହିପରି ଓଡଙ୍ଗ ପଞ୍ଚାୟତ ସରମରାରେ ୨୦୧୪-୧୫ରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ୨୦୧୫ ଜୁନ ୩୦ରେ କାର୍ଯ୍ୟ ଶେଷ ହେବାର ଥିଲା। ଏପର୍ଯ୍ୟନ୍ତ ୨୦ ଲକ୍ଷ ୬୭ ହଜାର ୫୩୬ ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ କାର୍ଯ୍ୟ ସରିପାରି ନାହିଁ। ୨୦୧୪-୧୫ରେ ମଞ୍ଜୁର ହୋଇଥିବା ଆପଣ୍ଡା, ଗୋପାଳପୁର, ତରାଗୋ, ରାଉତରାପୁର, ଅଳଉତି ପ୍ରକଳ୍ପର ଅନୁରୂପ ଅବସ୍ଥା। ୨୦୧୩-୧୪ରେ ମଞ୍ଜୁର ହୋଇଥିବା ଗୋପୀନାଥପୁର, ଦଣ୍ଡୋ, ରାମକୃଷ୍ଣପୁର, ରାମପୁର, ତୋଡଗଁା ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଶେଷ ହୋଇପାରି ନାହିଁ। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି, ପ୍ରକଳ୍ପ କାମ କରୁଥିବା ଏଜେନ୍ସି ମନ୍ଥର ଗତିିରେ କାର୍ଯ୍ୟ କରୁଥିବାରୁ ଏପରି ବିଳମ୍ବ ହେଉଛି। ଏଗ୍ରିମେଣ୍ଟ ଅନୁସାରେ ସେମାନେ ୧୧ ମାସ ଭିତରେ କାମ ସାରିବା କଥା। ବେଶିହେଲେ ୬ ମାସ ସମୟ ନେଇପାରିବେ। ରାଉତରାପୁର ଓ ଗୋପୀନାଥପୁର ୨ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଆସିଲାଣି ବୋଲି ସେ ସୂଚନା ଦେଇଛନ୍ତି।