ଅଦିନିଆ ରଥଯାତ୍ରା: ନିକୁଞ୍ଜ ଟ୍ରଷ୍ଟ ବିରୋଧରେ ଏତଲା

ପୁରୀ ଅଫିସ, ୬ା୧୨: ଅଦିନରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଭିନ୍ନ ସମୟରେ ନଜରକୁ ଆସୁଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଘୋର ଅପମାନ। ତେଣୁ ଏହାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିବାଦ ସୃଷ୍ଟି ହେଉଛି। ଏହିଭଳି ଏକ ଘଟଣା ଜଣାପଡିବା ପରେ ଶୁକ୍ରବାର ସିଂହଦ୍ୱାର ଥାନାରେ ଶ୍ରୀଜଗନ୍ନାଥ ସେନା ଏତଲା ଦେଇଛି। ଏତଲାରେ ଦର୍ଶାଯାଇଛି ଯେ, ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ଶ୍ରୀମଦ ନାରଦୀୟ ଭଗବତ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୨୯ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହା ଆମ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବା ସହ କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରୁଛି। ପ୍ରତ୍ୟେକ ଧାର୍ମିକ କାର୍ଯ୍ୟକ୍ରମର ଏକ ସ୍ବତନ୍ତ୍ର ତିଥି ଓ ତାରିଖ ରହିଛି। ଏହାକୁ ସମସ୍ତେ ମାନିବା ଦରକାର। ରଥଯାତ୍ରା ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ପାଳିତ ହୋଇଥାଏ। ଏହା ସ୍କନ୍ଦ ପୁରାଣରେ ମହାପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଟେ। ଅଦିନରେ ଏବଂ ଅତିଥିରେ ରଥଯାତ୍ରା ଆୟୋଜନ କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତି, ସନାତନ ହିନ୍ଦୁ ସମାଜ, ଭକ୍ତ ଏବଂ ଦେଶର ଘୋର ଅପମାନ ସହ ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରାଯାଉଛି। ତେଣୁ ଏଭଳି ବେଆଇନ ଓ ଧର୍ମ ବିରୋଧୀ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବାକୁ ସେନା ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି। ସେନାର ଆବହକ ପ୍ରିୟଦର୍ଶନ ପଟ୍ଟନାୟକ, ସଚେତନ ନାଗରିକ ମଞ୍ଚ ସଭାପତି ପ୍ରଶନ୍ନ କୁମାର ଦାଶ ପ୍ରମୁଖ ଥାନା ଅଧିକାରୀଙ୍କୁ ଅଭିଯୋଗପତ୍ର ଦେଇଛନ୍ତି।