Categories: ଜାତୀୟ

ଅତ୍ୟଧିକ ଶାରୀରିକ ଶ୍ରମ ଭାରତୀୟ ଗ୍ରାମୀଣ ମହିଳାଙ୍କୁ କରୁଛି ରୁଗ୍‌ଣ: ସର୍ଭେ ରିପୋର୍ଟ

ଲଣ୍ଡନ,୨୭।୬: ଅତ୍ୟଧିକ ଶାରୀରିକ ଶ୍ରମ ଯୋଗୁ ଭାରତୀୟ ଗ୍ରାମୀଣ ମହିଳା ରୁଗ୍‌ଣ ହେବାରେ ଲାଗିଛନ୍ତି। ଏହା ସହିତ ଉପଯୁକ୍ତ ପୋଷଣର ଅଭାବ ଯୋଗୁ ଏଭଳି ମହିଳାଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ରିଟେନ୍‌ର ଇଷ୍ଟ୍‌ ଏଙ୍ଗ୍ଲିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଗ୍ରାମୀଣ ମହିଳା ଘରର ପୁରୁଷ ସଦସ୍ୟଙ୍କ ଅନୁପସ୍ଥିତିରେ ପ୍ରାୟତଃ କାମଧନ୍ଦା କରିଥାନ୍ତି। ଅତ୍ୟଧିକ କାମ ଚାପରେ ସେମାନେ ଖାଦ୍ୟପେୟରେ ଅନିମିତତା ସୃଷ୍ଟି ହୋଇଥାଏ। ଫଳରେ ରୋଗ ପ୍ରତିରୋଧ ଶକ୍ତି ସେମାନଙ୍କଠାରେ କମିବାରେ ଲାଗିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେମାନଙ୍କଠାରୁ ଜନ୍ମ ନେଉଥିବା ସନ୍ତାନ ମଧ୍ୟ ରୁଗ୍‌ଣ ହୋଇଥାନ୍ତି ବୋଲି ଇଷ୍ଟ୍‌ ଏଙ୍ଗ୍ଲିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ନିତ୍ୟା ରାୟ କହିଛନ୍ତି। ଏହି ସର୍ଭେ ମହାରାଷ୍ଟ୍ରର ଓ୍ବର୍ଦ୍ଧା ଏବଂ ଓଡ଼ିଶାର କୋରାପୁଟର ୧୨ଟି ଗାଁରେ କରାଯାଇଥିଲା। କୁପୋଷଣ ଯୋଗୁ ଏସବୁ ଗାଁର ୫୦ ପ୍ରତିଶତ ଶିଶୁଙ୍କ ଓଜନ କମ୍‌ ରହିଛି। ମା’ମାନେ ଗର୍ଭଧାରଣ ସମୟରେ କୁପୋଷଣ ତଥା ଅତ୍ୟଧିକ ଶ୍ରମ କରିଥିବାରୁ ଏଭଳି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

Share