ଅତିରିକ୍ତ ପୋଲିସ କମିଶନର ହେଲେ ଅନୁପ ସାହୁ

ଭୁବନେଶ୍ୱର,୧-୧(ବ୍ୟୁରୋ): ପଦୋନ୍ନତି ପାଇଥିବା ୫ ଆଇପିଏସ୍‌ ଅଫିସରଙ୍କୁ ନୂଆ ପଦ ମିଳିଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଜେଲ ବିଭାଗର ଡିଜି ଭାବେ ନିଯୁକ୍ତି ମିଳିଛି। ଲ ଆଣ୍ଡ୍‌ ଅର୍ଡର ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଆର.ପି. କୋଚେଙ୍କୁ ଏଡିଜି ଏଏସ୍‌ଏପି (ସ୍ପେଶାଲ ଆର୍ମ ପୋଲିସ)କୁ ବଦଳି କରାଯାଇଛି। ଆଇଜି ପର୍ସୋନେଲ୍‌ରେ ଥିବା ୧୯୯୫ ବ୍ୟାଚର ଆଇପିଏସ୍‌ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସହ ଲ ଆଣ୍ଡ ଅର୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଏସ୍‌ଏପିରେ ଥିବା ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଓ୍ବାଇ.କୋୟଲଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇ ଆଇଜି ପ୍ରୋଭିଜନିଂ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କୁ ଡିଆଇଜି ର଼୍ୟାଙ୍କ୍‌କୁ ପଦୋନ୍ନତି ଦିଆଯାଇଥିବାବେଳେ କମିଶନରେଟ ପୋଲିସରେ ଅତିରିକ୍ତ ପୋଲିସ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ଏହାସହ ନୂଆ ଡିସିପି ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ଭୁବନେଶ୍ୱରର ଡିସିପି ଦାୟିତ୍ୱରେ ରହିବେ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।