ଅଣସର ଘରେ ମହାପ୍ରଭୁ: କମିଲା ଶ୍ରୀମନ୍ଦିର ହୁଣ୍ଡି ଅର୍ଥ

ପୁରୀ ଅଫିସ,୨୦ା୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ଦଇତାପତି ସେବକମାନେ ସେବା କରୁଛନ୍ତି। ଅନ୍ୟପଟେ ଅଣସର ତାଟିରେ ପୂଜା ପାଉଛନ୍ତି ପଟିଦିଅଁ। ଏଥିପାଇଁ ରତ୍ନସିଂହାସନ ଫାଙ୍କା ପଡ଼ିଥିବାବେଳେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ବୁଧବାର ହୁଣ୍ଡି ଗଣତିରୁ ଏଭଳି ଚିତ୍ର ସ୍ପଷ୍ଟ ଜଣାପଡ଼ିଛି। ଅଣସରର ଦ୍ୱିତୀୟ ଦିନରେ ହୁଣ୍ଡିରୁ ମାତ୍ର ୬୮,୩୪୯ ଟଙ୍କା ଏବଂ ୪୫୦ ମିଲିଗ୍ରାମ୍‌ ସୁନା ବାହାରିଛି। ରୁପା ଆଦୌ ବାହାରି ନାହିଁ। ସେହିପରି ଅଣସରର ପ୍ରଥମ ଦିନରେ ଅର୍ଥାତ୍‌ ସୋମବାର ବି ହୁଣ୍ଡି ଅର୍ଥ କମିଥିଲା। ପୂର୍ବରୁ ସାଧାରଣ ଦିନରେ ଅତି କମ୍‌ରେ ଦେଢଲକ୍ଷରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାହାରୁଥିବା ବେଳେ କିଛି ସୁନା, ରୁପା ବି ମିଳିଥାଏ। କିନ୍ତୁ ଅଣସର ଯୋଗୁ ଭକ୍ତଙ୍କ ସଂଖ୍ୟା କମିଥିବାରୁ ଏହାର ପ୍ରଭାବ ହୁଣ୍ଡିରେ ପଡୁଛି। ଅଣସର ପରେ ବର୍ତ୍ତମାନ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ଯାଉଛନ୍ତି। ଶ୍ରୀମନ୍ଦିରକୁ କମ୍‌ସଂଖ୍ୟକ ଭକ୍ତ ଆସୁଥିବାରୁ ହୁଣ୍ଡି ଅର୍ଥ କମିଛି। ନୀଳାଦ୍ରିବିଜେ ପରେ ମହାପ୍ରଭୁ ରତ୍ନସିଂହାସନରେ ବିଜେ କଲେ ପୁଣି ହୁଣ୍ଡି ଅର୍ଥ ସ୍ବାଭାବିକ ହୋଇଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।