ଅଣନିଯୁକ୍ତି ଫାର୍ମାସିଷ୍ଟ ସଂଘର ଧାରଣା

ବାଲେଶ୍ୱର ଅଫିସ, ୨୦।୨-ବେକାରୀ ଫାର୍ମାସିଷ୍ଟମାନଙ୍କୁ ଉପେକ୍ଷା କରାଯାଇଥିବା ପ୍ରତିବାଦରେ ବୁଧବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଣନିଯୁକ୍ତି ଫାର୍ମାସିଷ୍ଟ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଛି।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି (ନଂ. ୪୩୧୧) ଅନୁଯାୟୀ ଗତ ୧୨ ତାରିଖରେ ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଥିବା ଫାର୍ମାସିଷ୍ଟ ଏବଂ ଷ୍ଟାଫନର୍ସ ପାଇଁ ଅବସର ନେଇଥିବା କର୍ମଚାରୀମାନଙ୍କୁ ୬ମାସ ପାଇଁ ପୁନଃ ନିଯୁକ୍ତି ଦେବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିକୁ ନେଇ ଫାର୍ମାସିଷ୍ଟ ପାସ୍‌ କରି ସରକାରୀ ଚାକିରି ନ ପାଇ ଅପେକ୍ଷା କରିଥିବା ଅଣନିଯୁକ୍ତି ଫାର୍ମାସିଷ୍ଟ ସଂଘ ଏହାକୁ ପ୍ରତିବାଦ କରି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ଏବଂ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଅବଗତ କରାଇଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ବୁଧବାର ପୂର୍ବାହ୍ନଠାରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ଜଣାପଡ଼ିଛି। ଅବସର ପରେ ଫାର୍ମାସିଷ୍ଟମାନଙ୍କୁ ପୁନଃ ନିଯୁକ୍ତି ଦେଇ ଫାର୍ମାସିଷ୍ଟ ପାସ୍‌ କରି ଚାକିରି ନ ପାଇ ବେକାର ଥିବା ଛାତ୍ରୀଛାତ୍ରମାନଙ୍କୁ ଉପେକ୍ଷା କରାଯାଇଥିବା ଦେବାଶିଷ ଗିରି, ଅଶ୍ୱିନୀ କୁମାର ମିଶ୍ର, ସରୋଜ କୁମାର ପାଣିଗ୍ରାହୀ, ଉତ୍ତମ ମହାନ୍ତି, ଅମିରୁଦ୍ଦିନ ଖାନ, ପ୍ରବୀଣ କୁମାର ରାଉଳ, ସାଗର ନାୟକ, ଶ୍ରବଣ ଦାସ, ସୌରଭ ପରମାଣିକ, ସିଦ୍ଧେଶ୍ୱର ସାହୁ, ଅଜିତ କୁମାର ବେହେରା, ପ୍ରୀତମ ସାହୁ, ୱାସିକ କାଦ୍ରି, ବିହାରୀ ସ୍ମିଥ କୁମାର ପ୍ରମୁଖ ଅଭିଯୋଗ କରିଛନ୍ତି।