Categories: ଜାତୀୟ

ଅଟୋ ଚାଳକଙ୍କୁ ମାଡ଼ମାରି ଅଡ଼ୁଆରେ ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ: ଭିଡିଓ ଭାଇରାଲ

ଭୋପାଳ,୨୬।୧୧: ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ ଭାବେ ମଧ୍ୟପ୍ରଦେଶ ଇନ୍ଦୋରର ରଣଜିତ୍‌ ସିଂହ ବେଶ୍‌ ଜଣାଶୁଣା। ଅଲଗା ଅଲଗା ଷ୍ଟାଇଲ୍‌ ହେଉ ବା ଆମେରିକାର ପପ୍‌ ଗାୟକ ମାଇକେଲ ଜ୍ୟାକ୍‌ସନ୍‌ଙ୍କ ଡ୍ୟାନ୍ସିଂ ଷ୍ଟାଇଲ୍‌ରେ ରଣଜିତ ଟ୍ରାଫିକ୍‌କୁ ନିୟନ୍ତ୍ରଣ କରିବାରେ ଓସ୍ତାଦ୍‌। ୩୮ ବର୍ଷୀୟ ରଣଜିତ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ହୋଇଥିବା ବେଳେ ତାଙ୍କର ୫୦ରୁ ଊର୍ଦ୍ଧ୍ୱ ଫଲୋର୍ସ ରହିଛନ୍ତି। ହେଲେ ସୋମବାର ଅଟୋ ଚାଳକଙ୍କୁ ମାଡ଼ମାରି ସେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଇନ୍ଦୋରର ଏମ୍‌ଜି ରୋଡ ସ୍ଥିତ ହାଇକୋର୍ଟ ଛକ ନିକଟରେ ରଣଜିତ କାର୍ଯ୍ୟରତ ଥିଲେ। ସେହି ସମୟରେ ଜଣେ ଅଟୋ ଚାଳକ ଭୁଲ ଦିଗରେ ଅଟୋ ଚଳାଇଥିବାରୁ ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇଥିଲେ। କିଛି ସମୟ ଅଟୋ ଚାଳକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ରଣଜିତ ତାଙ୍କୁ ଚାପୁଡା ମାରିବା ସହ ଗୋଇଠା ମାରିଥିଲେ। ସେହି ସମୟର ଦୃଶ୍ୟ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଭିଡିଓ ଭାଇରାଲ ହେବା ପରେ ରଣଜିତଙ୍କ ଏଭଳି କାର୍ଯ୍ୟକୁ ୟୁଜର୍ସ ନିନ୍ଦା କରିଛନ୍ତି। ଅନ୍ୟପଟେ ସଫେଇ ଦେଇ ସେ କହିଛନ୍ତି, ସବୁ ଭୁଲ ଅଟୋ ଚାଳକଙ୍କ। ଯାତାୟାତ ନିୟମକୁ ଉଲ୍ଲଂଘନ କରି ଭୁଲ ଦିଗରୁ ସେ ଆସିବାରୁ ରଣଜିତ ଏଭଳି କରିଥିଲେ ବୋଲି ପ୍ରକାଶ କରିଛନ୍ତି।

Share