କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଆନନ୍ଦର ବାତାବରଣ ଖେଳିଯାଇଛି। ମ.ରାମପୁର ବ୍ଲକ ମୁଡିଙ୍ଗ ପଞ୍ଚାୟତର ଦୁର୍ଲାଦୁନି ଗ୍ରାମର ଭଗବାନ ବଗର୍ତ୍ତୀ ଓ ରୂପବତୀଙ୍କ ପୁଅ ଟେକ କୁର୍ଶୁଲା ଅମର ଡିଗ୍ରୀ ମହାବିଦ୍ୟାଳୟରେ ବର୍ତ୍ତମାନ ଯୁକ୍ତତିନି କଳା ବିଭାଗର ଛାତ୍ର। ସେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ପରିଚିତ। ଗ୍ରାମାଞ୍ଚଳରୁ ଆସି ମଧ୍ୟ ସେ ପୂର୍ବରୁ ଆୟୋଜିତ କଠିନ ପ୍ରଆରଡି କ୍ୟାମ୍ପର ସମସ୍ତ ପର୍ଯ୍ୟାୟକୁ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସଫଳତାର ସହ ଅତିକ୍ରମ କରିପାରିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ କଲେଜ ଅଧ୍ୟକ୍ଷ ନବିନ କୁମାର ପଧାନ ଧନ୍ୟବାଦ ଜଣାଇବା ସହ ଅନ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ସେ ପ୍ରେରଣାଦାୟକ ହେବେ ବୋଲି ପ୍ରକାଶ କରିଛନ୍ତି। କଲେଜର ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ରାଜେନ୍ଦ୍ର ଗହୀର, ହୃଦାନନ୍ଦ ସାହୁ, ରବିନ ନନ୍ଦ, ନରେଶ ବିଶି, ସସ୍ମିତା ସାହୁ ଟେକଙ୍କୁ ଅଭିନନ୍ଦନ ଜଣାଇ ଟେକ ରଖିଲେ ଟେକ ବଗର୍ତ୍ତୀ ବୋଲି ପ୍ରକାଶ କରିଛନ୍ତି। ଟେକଙ୍କ ଏହି ସଫଳତା ପାଇଁ ସ୍ଥାନୀୟ ବିଧାୟିକା ମନୋରମା ମହାନ୍ତି, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ କର୍ଲାମୁଣ୍ଡା ପ୍ରେସକ୍ଲବ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
Dharitri – Odisha’s No.1 Odia Daily


