Categories: ଫୁରସତ

ଅଜବ ନିଶା : କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍‌ ଛାପିଲେ ଯୁବତୀ

ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ପାଖରେ କାର୍‌ କିଣିବା ପାଇଁ ଟଙ୍କା ନ ଥିଲା। କିନ୍ତୁ କାର କିଣିବାର ନିଶା ମୁଣ୍ଡରୁ ଖସି ନ ଥିଲା। ଖାସ୍‌ ଏଥିପାଇଁ ଯୁବତୀ ଜଣକ ନିଜର ଇଚ୍ଛାକୁ ପୂରଣ କରିବାକୁ ନକଲି ନୋଟ୍‌ ଛପାଇଥିଲେ। ଶେଷରେ ଧରାପଡ଼ି ଏବେ ଜେଲ୍‌ର ଚାରିକାନ୍ଥ ମଧ୍ୟରେ ରହିଛନ୍ତି। ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଜର୍ମାନୀର କୈସରସ୍ଲାର୍ଟନର ଜଣେ ଯୁବତୀଙ୍କ କ୍ଷେତ୍ରରେ। ୨୦ ବର୍ଷୀୟା ଏହି ଯୁବତୀ ଜଣକ ଏକ କାର କିଣିବାକୁ ଶୋ’ରୁମ୍‌ରେ ପହଞ୍ଚିଥିଲେ। ଯେଉଁ କାର ତାଙ୍କର ପସନ୍ଦ ଆସିଥିଲା ସେତିକି ପରିମାଣର ଟଙ୍କା ତାଙ୍କ ପାଖରେ ନ ଥିଲା। ତେଣୁ ସେ ଫେରିିଆସିଥିଲେ। ନିଜର ଇଚ୍ଛା ପୂରା କରିବାକୁ ସେ ଲାଗିପଡ଼ିଥିଲେ। ପରେ ଏକ ଟଙ୍କା ଛପା ମେଶିନ କିଣି ସେଥିରେ କିଛି ନକଲି ନୋଟ ଛାପିଥିଲେ। ୧୫ ହଜାର ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୧୧ ଲକ୍ଷ ଟଙ୍କା ଛପାଇଥିଲେ। ଆଉ ଦିନେ ଯୁବତୀ ଜଣକ ଶୋ’ରୁମ୍‌ରେ ପହଞ୍ଚି ଉକ୍ତ ଟଙ୍କା ଜମା କରିଥିଲେ। କିନ୍ତୁ ଶୋ’ରୁମ୍‌ର କର୍ମଚାରୀ ଗଣିବା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା। ଏହା ପରେ ଶୋ’ରୁମ୍‌ର କର୍ମଚାରୀ ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ଯୁବତୀଙ୍କୁ ଗିରଫ କରି ଜେଲ୍‌ ପଠାଇଛି। ନୋଟ୍‌ଗୁଡ଼ିକ ଇଙ୍କ୍‌ଜେଟ୍‌ ପ୍ରିଣ୍ଟରରେ ଛପା ହୋଇଥିବା ପୋଲିସ କହିଛି।

Share