ଅଜଣା ରୋଗରେ ପରିବାରର ଦୁଇ ଶିଶୁ ମୃତ

ଭେଡ଼େନ,୨୧।୯(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମ ପଞ୍ଚାୟତର ଚମାର ପଡ଼ାର ଗୋଟିଏ ପରିବାରର ଦୁଇ ଜଣ ଶିଶୁଙ୍କ ଅଜଣା ରୋଗରେ ଶୁକ୍ରବାର ମୃତ୍ୟୁ ହୋଇଛି। ଚମାର ପଡ଼ାର ଫକିର ମିରିଗ ଓ ପୂର୍ଣ୍ଣିମା ମିରିଗଙ୍କ ବଡ଼ ଝିଅ ବୈଷ୍ଣବୀ(୫) ଏବଂ ପୁଅ ବଜରଙ୍ଗି (୧)ଙ୍କ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଛି। ଅନ୍ୟପଟେ ଉକ୍ତ ପରିବାରର ଆଉ ଜଣେ ସାନ ଝିଅ ଚୁମକି(୩)ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକତ୍ସିତ କରାଯାଉଛି। ସୂଚନାଯୋଗ୍ୟ, ଏହି ୩ ଶିଶୁଙ୍କୁ ପୂର୍ବରୁ ଜ୍ୱର ହେଉଥିବା ବେଳେ ଶୁକ୍ରବାର ଦିନ ସମସ୍ତଙ୍କ ପେଟ ଫୁଲିଯାଇ ଝାଡ଼ା ପରିସ୍ରା ବନ୍ଦ ହୋଇଯାଇଥିଲା। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫକିରଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା ବେଳେ ଅସୁସ୍ଥ ଝିଅର ଚିକତ୍ସା ପାଇଁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସାଧାରଣରେ ଦାବି କରାଯାଇଛି।