ଅଜଣା ଜନ୍ତୁ ଆତଙ୍କ: ଏକାଥରକେ ୪୦ଟି କୁକୁଡ଼ାକୁ ମାରିଲା

ରାଜନଗର,୨୮।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ରାଜଗଡ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ। ସୋମବାର ରାତିରେ ଗ୍ରାମର ପ୍ରତିମା ବିଶ୍ୱାଳଙ୍କ କୁକୁଡ଼ା ଫାର୍ମରେ ଅଜଣା କଳାରଙ୍ଗର ଜନ୍ତୁ ପଶି ୪୦ଟି କୁକୁଡାକୁ ମାରିଦେଇଛି। କୁକୁଡାର ତଣ୍ଟି ପାଖରେ ଆକ୍ରମଣ କରି ରକ୍ତ ପିଇଥିବା ଚିହ୍ନ ଗୁଡିକରୁ ଜଣାପଡିଛି। ପ୍ରତିମା ମଙ୍ଗଳବାର ସକାଳୁ କୁକଡ଼ା ଫାର୍ମକୁ ଯିବାପରେ କୁକୁଡ଼ାଗୁଡିକ ମରି ପଡିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ରାଜନଗର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଏନେଇ ଜଣାଇଥିଲେ। ପ୍ରାଣୀ ଚିକିତ୍ସକ ଡା. ଦେବୀ ପ୍ରସାଦ କୁଣ୍ଡ ଏହି ଘଟଣାକୁ ନେଇ କହିଛନ୍ତି, ପ୍ରଥମେ ମୃତ କୁକୁଡ଼ାକୁ ଯାଞ୍ଚ୍‌ କରାଯାଇ ପରେ ସବିଶେଷ ସୂଚନା ଦିଆଯିବ।