ଅଙ୍ଗନୱାଡ଼ି ଶିଶୁଙ୍କୁ ଦିଆଯାଇନି ଖାଦ୍ୟ, ଲାଦାମାଲାରେ ଅଶାନ୍ତି

ଦାରିଙ୍ଗବାଡ଼ି,୬।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଲାଦାମାଲା ଅଙ୍ଗନାୱାଡ଼ି କେନ୍ଦ୍ରର ଶିଶୁଙ୍କୁ ରନ୍ଧାଖାଦ୍ୟ ସାମଗ୍ରୀ ପହଞ୍ଚାଯାଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମାର୍ଚ୍ଚରେ କରୋନା ପାଇଁ ଜିଲାରେ ୧୪୪ ଧାରା ଜାରି ହୋଇଛି। ସେହିସମୟରୁ ସମସ୍ତ ବିଦ୍ୟାଳୟ ସହ ଅଙ୍ଗନାୱାଡ଼ିକେନ୍ଦ୍ର ବନ୍ଦ କାଯାଇଥିଲା। ମାତ୍ର ଏପ୍ରିଲ ଶେଷ ପର୍ଯ୍ୟନ୍ତ ଚାଉଳ, ପନିପରିବା, ଅଣ୍ଡା, ଡାଲି, ଗୁଡ଼, ଆଦି ଖାଦ୍ୟ ସାମଗ୍ରୀ ସମସ୍ତ ଶିଶୁଙ୍କ ନିଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଥିବାବେଳେ ଲାଦାମାଲାରେ ଏହା ବଣ୍ଟନ କରାଯାଇ ନ ଥିବା ଏବଂ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଏହି ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ଅଭିଭାବକ ଜିଦ୍‌ ଧରିବା ସହ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡିଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନାୱାଡ଼ି କର୍ମୀ ମାତ୍ର ୧କିଲୋ ଚାଉଳ ଦେଇ ଶିଶୁ ଏବଂ ଅଭିଭାବକ ମାନଙ୍କ ଫଟୋ ଉଠାଇ ନେଉଥିବା ଉଲ୍ଲେଖ କରିଛନ୍ତି। ଲକ୍‌ଡାଉନର ସୁଯୋଗ ନେଇ କର୍ମୀ ସମସ୍ତ ଶିଶୁ ଖାଦ୍ୟ ହଡ଼ପ କରିବା ଆଶଙ୍କା କରାଯାଉଥିବା ଗ୍ରାମର ସମିତା ଦିଗାଳ, ନମିତା ଦିଗାଳ, ରୋଜାଲିନ ଦିଗାଳ,ବେବି ପ୍ରଧାନ, ସଲମିନା ଦିଗାଳ, ମହିମା ପ୍ରଧାନ ପ୍ରମୁଖ କହିଛନ୍ତି। ପରେ ଦାୟୀତ୍ୱରେ ରହିଥିବା ସୁପରଭାଇଜର ଅନ୍ନପୂର୍ଣ୍ଣା ସ୍ବାଇଁ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ୩ ମାସର ଖାଦ୍ୟ ସାମଗ୍ରୀ ପାଇଁ ଜିଦ୍‌ କରିଥିଲେ। ଏନେଇ ଅଙ୍ଗନାୱାଡ଼ିକର୍ମୀ ମେନକା କହିଛନ୍ତି ଯେ ତାଙ୍କୁ କୌଣସି ଜିନିଷ କିମ୍ବା ଅର୍ଥ ଯୋଗାଇଦିଆଯାଇନାହିଁ। ତେଣୁ ସେ ଯାଞ୍ଚ କମିଟିଠାରୁ ଚାଉଳ ଧାରକରଜ କରି ଆଣି କିଲେ ଲେଖାଏଁ ଚାଉଳ ଦେଉଥିଲେ ହେଲେ ଅଭିଭାବକ ମାନେ ନେଉନାହାନ୍ତି। ଏନେଇ ଅଭିଭାବକ ଏବଂ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବାପରେ ସରପଞ୍ଚ ଅମିତା ପ୍ରଧାନ ସମାଧାନ କରିବାକୁ ପ୍ରୟାସ କରିଥିଲେ। ପରେ ଅଙ୍ଗନାୱାଡ଼ିକର୍ମୀ ଗତମାସ ଏବଂ ଏପ୍ରିଲ ମାସର ଶିଶୁଖାଦ୍ୟ ଯୋଗାଇଦେବେ ବୋଲି କହିଛନ୍ତି। ଗତ ମାସରେ କେନ୍ଦ୍ର ବନ୍ଦ ହେବା ଠାରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ସମାଗ୍ରୀ ଦିଆଯିବ ବୋଲି ସିଡିପିଓ ଶକୁନ୍ତଳା ନାୟକ କହିଛନ୍ତି।