‘ଅଗ୍ନି-୩’ ରାତ୍ରକାଳୀନ ପରୀକ୍ଷା ସଫଳ

ବାଲେଶ୍ୱର ଅଫିସ, ୧।୧୨-ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ଶନିବାର ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡିଓ ପକ୍ଷରୁ ଭଦ୍ରକ ଜିଲା କଲାମ ଦ୍ୱୀପରୁ କରାଯାଇଥିବା ‘ଅଗ୍ନି-୩’ କ୍ଷେପଣାସ୍ତ୍ରର ରାତ୍ରକାଳୀନ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ସନ୍ଧ୍ୟା ୭ଟା ୧୭ ମିନିଟ୍‌ରେ ଏହି ପରୀକ୍ଷା କରାଯାଇଥିଲା। ପ୍ରତି ସେକେଣ୍ଡକୁ ୫ରୁ ୭ କି.ମି. ବେଗରେ ଗତି କରି ନିର୍ଦ୍ଧାରିତ ସମୟରେ ଏହା ଟାର୍ଗେଟ ଭେଦ କରିଥିଲା। ଏହି ପରୀକ୍ଷଣ ବେଳେ ସ୍ବତନ୍ତ୍ର ଭାବେ ପ୍ରତିରକ୍ଷା ବିଭାଗ ସ୍ଥଳସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଗ୍ନି-୩ କ୍ଷେପଣାସ୍ତ୍ର ପ୍ରାୟ ଦେଢଟନର ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରି ୩,୫୦୦ରୁ ୫ ହଜାର କି.ମି. ଦୂରରେ ଯେକୌଣସି ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରଖିଛି।
ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡୋଙ୍କ ପକ୍ଷରୁ କଲାମ ଦ୍ୱୀପ ଲଞ୍ଚ୍‌ପ୍ୟାଡରୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ଲମ୍ବ ପ୍ରାୟ ୧୭ମିଟର। ମୋଟେଇ ୨ ମିଟର। ଓଜନ ପ୍ରାୟ ୨୨ଟନ। ୨୦୧୧ ମସିହାରୁ ଅଗ୍ନି-୩ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ନିୟୋଜିତ କରାଯାଇସାରିଛି। ୨୦୦୬ ମସିହାରୁ ବିଭିନ୍ନ ସମୟରେ ଏହାର ପରୀକ୍ଷା କରାଯାଇ ଆସୁଛି। ଶେଷଥର ପାଇଁ ୨୦୧୭ ଏପ୍ରିଲ ୨୭ ତାରିଖରେ ସେହି କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରକୁ ସଫଳତାର ସହିତ ପରୀକ୍ଷା କରାଯାଇଥିଲା।