ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର: ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ବାସୁଦେବପୁର, ୨୨।୧(ଡି.ଏନ.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବଳିବିନ୍ଧା ଗ୍ରାମର ଚାରିଘରିଆ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିକାଣ୍ଡରେ ପୂର୍ଣ୍ଣଚନ୍ଦ୍ର ବେହେରା, ଜୟରାମ ବେହେରା, କୈଳାଶ ବେହେରା, ରମାକାନ୍ତ ବେହେରା, ହେମନ୍ତ ବେହେରା, ସୁବାସ ଚନ୍ଦ୍ର ବେହେରା ଏବଂ ଦୁର୍ଯ୍ୟୋଧନ ବେହେରାଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଛି। ବୁଧବାର ସକାଳେ ଏମପିଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି ଏବଂ ପୂର୍ବତନ କାଉନସିଲର ଗଙ୍ଗାଧର ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପୋଡିଯାଇଥିବା ପରିବାରକୁ ସମବେଦନା ଜଣାଇଥିଲେ। ସେହିପରି ରାଜସ୍ବ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ଆକଳନ କରାଯାଇଛି। ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି।