Categories: ଜାତୀୟ

ଅଗୁସ୍ତା ଓ୍ବେଷ୍ଟ୍‌ଲାଣ୍ଡ ମାମଲାରେ ମୃତ ଘୋଷଣାର ୨୪ ଘଣ୍ଟା ପରେ ସାକ୍ଷୀ ଜୀବିତ

ନୂଆଦିଲ୍ଲୀ,୩୧।୭: ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୪ ଘଣ୍ଟାରେ ଦୁଇଥର ବୟାନ ବଦଳାଇଛି। ଏହି ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ କୁହାଯାଉଥିବା କେ.କେ. ଖୋସ୍‌ଲାଙ୍କୁ ଇଡି ପକ୍ଷରୁ ମଙ୍ଗଳବାର କୋର୍ଟରେ ମୃତ ବୋଲି ଦର୍ଶାଯାଇଥିବା ବେଳେ ତେବେ ବୁଧବାର ଶୁଣାଣି ସମୟରେ ଖୋସ୍‌ଲା ବଞ୍ଚିଛନ୍ତି ଏବଂ କୋର୍ଟ ଯେତେବେଳେ ଚାହିଁବେ ସେ ହାଜର ହୋଇ ବୟାନ ଦେବେ ବୋଲି ଇଡି କହିଛି। ଅଗୁସ୍ତା ହେଲିକପ୍ଟର କିଣା ଦୁର୍ନୀତିର ଶୁଣାଣି କରୁଥିବା ସ୍ବତନ୍ତ୍ର କୋର୍ଟଙ୍କୁ ମଙ୍ଗଳବାର ଇଡି କହିଥିଲା, ଆମେ ଯେତେବେଳେ ବି ଖୋସ୍‌ଲାଙ୍କ ଘରକୁ ଯାଉଛୁ, ତାଙ୍କୁ ପାଉନାହୁଁ। ବୋଧେ ତାଙ୍କର ଦେହାନ୍ତ ହୋଇଯାଇଛି। ତେବେ ବୁଧବାର ତଦନ୍ତକାରୀ ସଂସ୍ଥା ବୟାନ ବଦଳାଇ କହିଛି ଯେ, ଏବେ ଖୋସ୍‌ଲା ବଞ୍ଚିଥିବା ଜାଣିବାକୁ ମିଳିଛି। ଖୋସଲା ଏହି ହେଲିକପ୍ଟର ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ। ତାଙ୍କ ଠାରୁ କିଏ ସବୁ ଟଙ୍କା ନେଇଥିଲେ, ସେମାନଙ୍କ ନାଁ ଓ ଠିକଣା ତାଙ୍କ ପାଖରେ ରହିଛି। ତେଣୁ ସେ କୋର୍ଟରେ ହାଜର ହେବା ନିହାତି ଜରୁରୀ। ଏହାପରେ କୋର୍ଟ ଖୋସ୍‌ଲାଙ୍କୁ ଗୁରୁବାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share