Categories: ଜାତୀୟ

ଅଗଷ୍ଟ ୩୧ ପୂର୍ବରୁ ବିଚାର ଶେଷ ନିର୍ଦ୍ଦେଶ

ନୂଆଦିଲ୍ଲୀ,୯ା୫(ପି.ଟି.): ବାବ୍ରୀ ମସ୍‌ଜିଦ ଭଙ୍ଗା ମାମଲାରେ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ବିଚାର ଅଗଷ୍ଟ ୩୧ ସୁଦ୍ଧା ଶେଷ କରି ରାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୯ ମାସ ମଧ୍ୟରେ ଅର୍ଥାତ୍‌ ଏପ୍ରିଲ ଶେଷ ସୁଦ୍ଧା ରାୟ ପ୍ରଦାନ ଲାଗି ଗତବର୍ଷ ଜୁଲାଇରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କରୋନା ସଂକ୍ରମଣ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ରହିଥିବାରୁ ଏହି ସମୟସୀମା ବୃଦ୍ଧି ଲାଗି ସିବିଆଇ ବିଚାରପତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅଗଷ୍ଟ ୩୧ ପରେ ସମୟସୀମା ଆଉ ବଢ଼ାଯାଇପାରିବ ନାହିଁ। ତେଣୁ ଭିଡିଓ କନ୍‌ଫରେନ୍ସ ସୁବିଧାର ଉପଯୋଗ କରିବାକୁ ସର୍ବୋଚ୍ଚ ଅଦାଲତ ସିବିଆଇ କୋର୍ଟକୁ କହିଛନ୍ତି।
ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଭାଜପା ଏମ୍‌ପି ବିନୟ କଟିଆର ଓ ସାଧ୍ୱୀ ଋତମ୍ଭରା। ଅନ୍ୟ ୩ ପ୍ରମୁଖ ଅଭିଯୁକ୍ତ ଗିରିରାଜ କିଶୋର, ବିଶ୍ୱହିନ୍ଦୁ ପରିଷଦ ନେତା ଅଶୋକ ସିଂଘଲ ଏବଂ ବିଷ୍ଣୁହରି ଡାଲମିଆଙ୍କର ପରଲୋକ ହୋଇଗଲାଣି। ଅଭିଯୁକ୍ତମାନଙ୍କ ବିରୋଧରେ ୨୦୧୭ ଏପ୍ରିଲ ୧୯ରେ ଚାର୍ଜଫ୍ରେମ୍‌ ହୋଇଥିଲା ଏବଂ ଦୁଇବର୍ଷ ମଧ୍ୟରେ ବିଚାର ଶେଷ କରିବାକୁ ସର୍ବୋଚ୍ଚ ଅଦାଲତ ସମୟସୀମା ଧାର୍ଯ୍ୟ କରିଥିଲେ।

Share