ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ ମାଓବାଦୀ ଲଗାଇଲେ ବ୍ୟାନର

ନବରଙ୍ଗପୁର/ଝରିଗାଁ,୧୪ା୮(ବି.ପ୍ର./ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ କର୍ଲାପଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ମାଓବାଦୀ ପକ୍ଷରୁ ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ କଳା ବ୍ୟାନରରେ ଲେଖି କାନ୍ଥରେ ଟାଙ୍ଗିଛନ୍ତି। ଏଥିସହ ଏକ ଧଳା କାଗଜରେ ଲାଲ ରଙ୍ଗରେ ସିପିଆଇ ମାଓବାଦୀ ମେନପୁର ଡିଭିଜନ ଲେଖିଛି, ଆଦିବାସୀ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦିଆଯାଉଛି । ଆମ୍ବୁଲାନ୍ସ ଯିବାଆସିବା ପାଇଁ ରାସ୍ତା ନାହିଁ, ସ୍କୁଲ ମଧ୍ୟ ନାହିଁ ା ଆଦିବାସୀଙ୍କୁ ସରକାର ଠକି ଚାଲିଛନ୍ତି। ଆଦିବାସୀଙ୍କ ପାଇଁ ଲଢ଼ିବୁ । ଝରିଗାଁ ବ୍ଲକର ଅନେକ ଦୁର୍ଗମ ଓ ଅଗମ୍ୟ ରାସ୍ତା ରହିଛି ା ରାସ୍ତାଗୁଡ଼ିକ ଖାଲଖମା ସହ ବ୍ଲକର ୬୮ ଗାଁକୁ ଏଯାଏ ପାଦଚଲା ରାସ୍ତା ରହିଛି। ପୋଲିସ ଖବର ପାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ପହଞ୍ଚିପାରି ନ ଥିବା ଜଣାପଡ଼ିଛି।