ଅଗଷ୍ଟ ୧ରୁ କଲେଜ ପାଠପଢ଼ା

ନୂଆଦିଲ୍ଲୀ,୩୦ା୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୁଧବାର ନୂଆ ଗାଇଡ୍‌ଲାଇନ ଜାରି କରିଛି। ଏହି ଗାଇଡ୍‌ଲାଇନ ଅନୁଯାୟୀ ପୁରୁଣା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବାବେଳେ ନୂଆ ପିଲାଙ୍କ ପାଇଁ ଶିକ୍ଷାଦାନ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ। ନୂତନ ଶିକ୍ଷାବର୍ଷ ଲାଗି କଲେଜ ଓ ବିଶ୍ୱବି୍ୟାଳୟରେ ନାମଲେଖା ଅଗଷ୍ଟ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। କରୋନା ସଂକ୍ରମଣ ଯୋଗୁ ଅଟକି ରହିଥିବା ପରୀକ୍ଷା ଜୁଲାଇ ଓ ଅଗଷ୍ଟ ମାସରେ କରିବାକୁ କୁହାଯାଇଛି।
ସେହିପରି କମ୍‌ ସମୟ ମଧ୍ୟରେ ପରୀକ୍ଷା ସାରିବା ପାଇଁ ବିଶ୍ୱବିଦ୍ୟାଳୟ ଚାହିଁଲେ ବିକଳ୍ପ ତଥା ସରଳ ପଦ୍ଧତି ଆପଣାଇପାରିବେ। ଏଥିପାଇଁ ପରୀକ୍ଷା ସମୟ ୩ ଘଣ୍ଟାରୁ ୨ ଘଣ୍ଟାକୁ କମାଯାଇପାରିବ। ଏଥିସହିତ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ପରୀକ୍ଷାରେ କୋହଳ କରାଯିବ। ଏହି ଗାଇଡ୍‌ଲାଇନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ ସ୍ବରୂପ। ସେମାନେ ଆବଶ୍ୟକତା ଓ ପରିସ୍ଥିତିକୁ ଲକ୍ଷ୍ୟ କରି ବ୍ୟବସ୍ଥା ଗ୍ରହଣ କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଦୁଇଟି ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଏହି ଗାଇଡ୍‌ଲାଇନ ଜାରି ହୋଇଛି। ୬ ଦିନିଆ ସପ୍ତାହ ଢାଞ୍ଚା ଆପଣାଇବା ସହ ଅନଲାଇନ ଶିକ୍ଷା ଓ ଭିଡିଓ କନ୍‌ଫରେନ୍ସିଂ ସୁବିଧା ଉପଲବ୍ଧ କରାଇବାକୁ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦିଆଯାଇଛି। ସମସ୍ତ ଶିକ୍ଷକଙ୍କୁ ଟେକ୍‌ନୋଲୋଜି ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଫଳରେ ସେମାନେ ପାଠ୍ୟକ୍ରମର ୨୫ ପ୍ରତିଶତ ଅନ୍‌ଲାଇନରେ ଶିକ୍ଷା ଦେଇପାରିବେ। ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଗାଇଡ୍‌ଲାଇନରେ ପରିବର୍ତ୍ତନ, ସଂଶୋଧନ କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି।

Share