ଅଖିଳ ଭାରତୀୟ ମଜଦୁର ସଭା ପକ୍ଷରୁ ଗଣ ବିକ୍ଷୋଭ: ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମୁନିଗୁଡା,୨।୧୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାଠାରେ ଅଖିଳ ଭାରତୀୟ ମଜଦୁର ସଭା ପକ୍ଷରୁ ସୋମବାର ଗଣ ବିକ୍ଷୋଭ କରାଯାଇ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଅଖିଳ ଭାରତୀୟ ମଜଦୁର ସଭାର ଜାତୀୟ କମିଟି ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଜିଲା ସଭାପତି ଗଣେଶ ଜାକାଶିକା ଓ ସମ୍ପାଦକ ସୁବାସ କୁଲେସିକଙ୍କ ମିଳିତ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ ମୁନିଖୋଲ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏକ ରାଲିରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ପରେ ସେଠାରେ ଗଣ ବିକ୍ଷୋଭ ପ୍ରଦର୍ଶନ କରିବାସହ ଜିଲାପାଳଙ୍କ ଉଦ୍ଦେଶ୍ୟରେ ମୁନିଗୁଡା ଅତିରିକ୍ତ ତହସିଲଦାର ଆୟୁବ ମଣ୍ଡଲଙ୍କ ଜରିଆରେ ଏକ ୯ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରରେ ସାହୁକାରଙ୍କ କବଳରେ ଥିବା ସିଲିଂ ଜମି ଓ ଜଙ୍ଗଲ ଜମିକୁ ମୁକ୍ତ କରି ଭୂମିହୀନ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟନ, ଘରଡିହ ପଟ୍ଟା ପ୍ରଦାନ, ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ନିୟମଗିରିର ଆଦିବାସୀଙ୍କୁ ପ୍ରାକୃତିକ ବାସସ୍ଥାନ ଅଧିକାର ପ୍ରଦାନ ଆଦି ଉଲ୍ଲେଖ ଅଛି। ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ମଜଦୁର ସଭାର ହରିବନ୍ଧୁ କାଡ୍ରାକା, ଏଆଇକେଏମ୍‌ଏସ୍‌ ଗଜପତି ଓ ଜିଲାର ବହୁ ସଦସ୍ୟ ଉପସ୍ଥିତ ଥିଲେ।