Posted inଜାତୀୟ

ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦିଲ୍ଲୀରେ ପୋଲିସ-ଓକିଲ ସଂଘର୍ଷକୁ ନେଇ ସଂଗ୍ରାମ ଜାରି ରହିଛି। ପୋଲିସ କର୍ମଚାରୀମାନେ ମଙ୍ଗଳବାର ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ମନାଇବା ପାଇଁ ୧୨ ଥର ଉଦ୍ୟମ ହୋଇଥିଲେ ମଧ୍ୟ ପୋଲିସ କର୍ମଚାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବା ପାଇଁ ଦିଲ୍ଲୀ ପୋଲିସ ମୁଖ୍ୟଙ୍କ ଅନୁରୋଧକୁ ସେମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଶେଷରେ ଉପରାଜ୍ୟପାଳ(ଏଲ୍‌ଜି) ଅନିଲ ବୈଜାଲ ସମ୍ପୃକ୍ତ ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀମାନେ ୧୧ ଘଣ୍ଟା ଧରି ଚଳାଇଥିବା ଆନ୍ଦୋଳନରୁ ଓହରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ପୋଲିସକୁ ଭାଜପାର ସଶସ୍ତ୍ର ଶାଖା ବୋଲି ଅଭିହିତ କରିଛି ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)।
ତିସ୍‌ ହଜାରି କୋର୍ଟରେ ଶନିବାର ପାର୍କିଂକୁ ନେଇ ପୋଲିସ କର୍ମଚାରୀ ଓ ଓକିଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ କେତେଜଣ ଆଇନଜୀବୀ ଓ ୨୦ ପୋଲିସ କର୍ମୀ ଆହତ ହୋଇଥିଲେ। ଆଇନଜୀବୀମାନେ ଏକ ପୋଲିସ ଗାଡ଼ିକୁ ପୋଡ଼ିବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ସେହିପରି ସୋମବାର ମଧ୍ୟ ଜଣେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ସାକେତ ଜିଲା କୋର୍ଟ ବାହାରେ ୟୁନିଫର୍ମ ପିନ୍ଧି ମୋଟରସାଇକେଲରେ ଯାଉଥିବା ଜଣେ ପୋଲିସ କର୍ମଚାରୀଙ୍କୁ କହୁଣୀରେ ମାରିବା ଅଭିଯୋଗରେ ଜଣେ ଆଇନଜୀବୀଙ୍କ ବିରୋଧରେ ଦୁଇଟି ଏତଲା ଦାଏର କରାଯାଇଛି। ଏହି ଆକ୍ରମଣର ପ୍ରତିବାଦରେ ମଙ୍ଗଳବାର ହଜାର ହଜାର ସଂଖ୍ୟାରେ ପୋଲିସ କର୍ମୀ ଆଇଟିଓସ୍ଥିତ ପୋଲିସ ମୁଖ୍ୟାଳୟ ବାହାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଶାନ୍ତ ରହିବାକୁ ବୁଝାଶୁଝା କରିବାରୁ ସେମାନେ ‘ଆମକୁ ନ୍ୟାୟ ଦରକାର’ ଓ ‘ଗୋ ବ୍ୟାକ୍‌, ଗୋ ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ଆଉ କେତେଜଣ କର୍ମଚାରୀ ୧୯୮୮ର ଆଇନଜୀବୀ-ପୋଲିସ ସଂଘର୍ଷର ସ୍ମୃତିଚାରଣ କରି ତତ୍କାଳୀନ ଆଇପିଏସ୍‌ ଅଧିକାରୀ କିରନ ବେଦୀଙ୍କୁ ମନେପକାଇଥିଲେ। କେହି କେହି ସମ୍ପ୍ରତି ପୁଡୁଚେରୀ ଉପରାଜ୍ୟପାଳ ଥିବା କିରନଙ୍କ ଫଟୋ ଥିବା ବଡ଼ ବଡ଼ ପୋଷ୍ଟର ଧରିଥିଲେ, ଯେଉଁଥିରେ ଲେଖାଥିଲା ‘ଆମ କମିଶନର କିରନ ବେଦୀଙ୍କ ଭଳି ହେବା ଉଚିତ’। ଦିଲ୍ଲୀରେ ପୋଲିସର ଏଭଳି ବିକ୍ଷୋଭ କେବେ ଦେଖିବାକୁ ମିଳି ନ ଥିଲା। ଏହି ଆନ୍ଦୋଳନ ଯୋଗୁ ସହରର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିଲା। ଇତିମଧ୍ୟରେ ହରିୟାଣା ଓ ବିହାର ପୋଲିସ ସଂଘ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ବିକ୍ଷୋଭକୁ ସମର୍ଥନ ଜଣାଇଥିଲା। ଏସବୁକୁ ଦେଖି ଦିଲ୍ଲୀ ପୋଲିସ ପକ୍ଷରୁ ଆହତ କର୍ମଚାରଙ୍କ ପାଇଁ ୨୫,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବାକୁ ଘୋଷଣା କରାଯାଇଥିଲା।
ପୋଲିସ କର୍ମଚାରୀ ୧୦ ଦଫା ଦାବି ନେଇ ହାତରେ କଳା ପଟି ବାନ୍ଧି ବିକ୍ଷୋଭ ଚଳାଇଥିବାବେଳେ ସନ୍ଧ୍ୟା ଯାଏ ଅନେକ କର୍ମଚାରୀଙ୍କ ପରିବାର ସଦସ୍ୟ ଇଣ୍ଡିଆ ଗେଟ୍‌ ସାମ୍ନାରେ ବିକ୍ଷୋଭ କରିଥିଲେ। ଲୋକେ ସମସ୍ତ ପର୍ବକୁ ନିର୍ଭୟରେ ପାଳନ କରିପାରିବେ ବୋଲି ଦିଲ୍ଲୀ ପୋଲିସର ଅଧିକାରୀମାନେ ଦିନରାତି କାମ କରୁଛନ୍ତି। କିନ୍ତୁ ଏହି ତ୍ୟାଗ କରିବାବେଳେ ରାସ୍ତାରେ ସେମାନଙ୍କୁ ମାଡ଼ ମରାଯାଉଛି। ଆମର କିଛି ଭାବନା କି ଅଧିକାର ନାହିଁ ବୋଲି ଜଣେ ପୋଲିସ ଅଧିକାରୀଙ୍କ ସ୍ତ୍ରୀ ମୁନେଶ ଦହିୟା ପ୍ରଶ୍ନ କରିଛନ୍ତି। ଉତ୍ତ୍ୟକ୍ତ ଭିଡ଼କୁ ଦେଖି ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ନିଜ ଅଫିସରୁ ବାହାରି ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୋଲିସକୁ ଏକ ଶୃଙ୍ଖଳିତ ବଳ ଭାବେ ବ୍ୟବହାର ଦେଖାଇବାକୁ ପଡ଼ିବ। ପୋଲିସ ଆଇନର ଅନୁପାଳନ କରୁ ବୋଲି ସରକାର ଓ ଲୋକେ ଆଶା କରନ୍ତି। ଏହା ଆମର ବଡ଼ ଉତ୍ତରଦାୟିତ୍ୱ। ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଚାଲିଛି। ତେଣୁ ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ଯୋଗଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ। ବରିଷ୍ଠ ଅଧିକାରୀମାନେ ଏହାର ସମାଧାନ ପାଇଁ ଲାଗିଥିବା ଅମୂଲ୍ୟ ପରେ ଖବରଦାତାଙ୍କୁ କହିଥିଲେ। ତେବେ ପ୍ରଥମେ ଆମକୁ ଆମର ଖାକିର ସମ୍ମାନ ବଞ୍ଚାଇବାକୁ ହେବ। ତା’ପରେ ଯାଇ ଆମେ କାର୍ଯ୍ୟରେ ଯୋଗଦେବୁ ବୋଲି ଜଣେ ପୋଲିସ କର୍ମଚାରୀ କହିଥିଲେ। ଦିଲ୍ଲୀ ପୋଲିସରେ ୮୦ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ପାଇଁ ଏକ ସଂଘ ଗଠନ କରାଯାଉ ବୋଲି ପୋଲିସ କର୍ମୀମାନେ ଦାବି କରିଥିଲେ। ଶନିବାର ତିସ୍‌ ହଜାରି କୋର୍ଟରେ ହୋଇଥିବା ସଂଘର୍ଷ ନେଇ ଦିଲ୍ଲୀ ପୋଲିସ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛି। ରାତିରେ ଏଲ୍‌ଜି ଅନିଲ ବୈଜାଲ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ସେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ପାଟନା,୧୦।୧: ବିହାର ମୁଖ୍ୟମନ୍ତ୍ରୀ  ନୀତିଶ କୁମାର କୁମାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଟୁଇଟ୍‌ କରି ଏହି...

ନେତାଜୀଙ୍କ ବୀରତ୍ୱକୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୨୩।୧: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କର ବୀରତ୍ୱ ଓ...

ବିହାର ନିର୍ବାଚନ ପାଇଁ ଆସନ ଭାଗବଣ୍ଟା: ଜାଣନ୍ତୁ ଜେଡିୟୁ, ଭାଜପା କେତେ ଆସନରେ ଲଢ଼ିବେ

ପାଟନା, ୬।୧୦: ବିହାର ବିଧାନସଭା ନିର୍ବାଚନ ଲାଗି ମହାମେଣ୍ଟ ଗଠନ ହେବାପରେ ଏବେ ଏନ୍‌ଡିଏ ପକ୍ଷରୁ ମଙ୍ଗଳବାର ଆସନ ଭାଗବଣ୍ଟା ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ଜାଣନ୍ତୁ କେଉଁଠୁ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ପରମ୍ପରା

ନୂଆଦିଲ୍ଲୀ, ୩୦।୫: ଦେଶର ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ...

ଭାଜପା, କଂଗ୍ରେସକୁ ପଛରେ ପକାଇଲା ଏଏପି

ଚଣ୍ଡିଗଡ,୨୭।୧୨: ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ନିର୍ବାଚନ ଫଳାଫଳ ପ୍ରଭାବ ରହିବ...

୯ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୮,୭୦୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୧୩।୭: କନ୍ଦାଇଲାଣି କରୋନା। ବେଳକୁ ବେଳ ଏହା ସୁଅ ଭଳି ମାଡି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୦୧ ନୂଆ ସଂକ୍ରମିତ ଚିହ୍ନଟ ହେବା...

ସ୍ବଦେଶ ଫେରିବେ ୧୯୩ ପାକ୍‌ ନାଗରିକ

ନୂଆଦିଲ୍ଲୀ, ୨ା୫: ପ୍ରାଣଘାତୀ କରୋନା ଭାଇରସ୍‌ର ତାଣ୍ଡବ ଜାରି ରହିଛି। ଏଥିଲାଗି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମହାମାରୀରୁ ବର୍ତ୍ତିବା ଲାଗି...

ଚାଷୀଙ୍କୁ ମୋଦି ସରକାରଙ୍କ ଉପହାର: ଧାନ ସମେତ ୧୭ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି

ନୂଆଦିଲ୍ଲୀ,୮।୬: ଦେଶରେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ୨୦୨୨-୨୩ ବର୍ଷ ଲାଗି ୧୭ ଖରିଫ ଫସଲ...

Advertisement
Archives

Model This Week