ରାଜକୋଷକୁ ୨.୫ ଲକ୍ଷ କୋଟିର ଝଟକା ଲାଗିବ

ନୂଆଦିଲ୍ଲୀ,୨୮।୮: କୋଭିଡ୍‌ ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ଘରୋଇ ବଜାରରେ କାରବାର ଠିକ୍‌ ନ ଥିବା ବେଳେ ଟିକସ ସଂଗ୍ରହକୁ ଏହା ଗଭୀର ଭାବେ କ୍ଷତିଗ୍ରସ୍ତ କରିଛି। ମହାମାରୀ ପ୍ରଭାବରେ କେନ୍ଦ୍ର ରାଜକୋଷକୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ଝଟକା ଲାଗିବ ବୋଲି ଗୁରୁବାର ସରକାରୀ ଆକଳନରୁ ଜଣାପଡିଛି। ଏଠାରେ ଅନୁଷ୍ଠିତ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୧ତମ ବୈଠକରେ ରାଜସ୍ବ ସଂଗ୍ରହ ହ୍ରାସ ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଥିବା ବେଳେ ଏହା ବୈଠକରେ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନିତ ହୋଇଥିବା ନଜରକୁ ଆସିଛି।
ବୈଠକ ପରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ, ଆର୍ଥତ୍କ ବର୍ଷ ୨୦୨୦-୨୧ରେ ରାଜକୋଷକୁ ୨.୩୫ ଲକ୍ଷ କୋଟି ଟଙ୍କା ନିଅଣ୍ଟ ପଡିବ। ବର୍ତ୍ତମାନ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ଦିଗରେ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡୁଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାର ୨ଟି ବିକଳ୍ପ ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ପ୍ରଥମ ବିକଳ୍ପ ଭାବେ ରାଜ୍ୟଗୁଡିକୁ ଏକ ସ୍ବତନ୍ତ୍ର ଓ୍ବିଣ୍ଡୋ ପ୍ରଦାନ କରାଯିବ। ଜିଏସ୍‌ଟି ପରିଷଦ ପକ୍ଷରୁ ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରି ସ୍ବଳ୍ପ ସୁଧହାରରେ ୯୭ ହଜାର କୋଟି ଟଙ୍କାର ଋଣ ଉଠାଣ ଦିଗରେ ପଦକ୍ଷେପ ନିଆଯିବ। ସେସ୍‌ ସଂଗ୍ରହ ହେବାର ୫ ବର୍ଷ ପରେ ଏହି ଅର୍ଥ ପଇଠ କରାଯିବ। ଅପରପକ୍ଷରେ ଦ୍ୱିତୀୟ ବିକଳ୍ପ ଭାବେ ରାଜ୍ୟଗୁଡିକୁ ୨.୫ ଲକ୍ଷ କୋଟିର ଜିଏସ୍‌ଟି କ୍ଷତିପୂରଣ ପାର୍ଥକ୍ୟକୁ ନିଜେ ଉଠାଇବାକୁ ପ୍ରସ୍ତାବ ରହିଛି। ଏ ଦିଗରେ ମଧ୍ୟ ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରାଯିବ। ଉକ୍ତ ପ୍ରସ୍ତାବକୁ ୭ ଦିନ ମଧ୍ୟରେ ରାଜ୍ୟଗୁଡିକ ନିକଟକୁ ପଠାଯିବା ନେଇ ପାଣ୍ଡେ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, କେବଳ ଚଳିତ ଆର୍ଥତ୍କ ବର୍ଷ ଲାଗି ନୂଆ ବିକଳ୍ପଗୁଡିକୁ କାର୍ଯ୍ୟକାରୀ କରାଯିବାକୁ ପ୍ରସ୍ତାବ ରହିଛି। ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରି ରାଜ୍ୟଗୁଡିକର ଋଣ ସମସ୍ୟାକୁ ସମାଧାନ କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବେ। ଜି-ସିକ୍ୟୁରିଟି ସଂଯୋଗୀ ସୁଧହାରରେ ରାଜ୍ୟଗୁଡିକ ଋଣ ଉଠାଇବା ଦିଗରେ ଯୋଜନା କରାଯିବ। ଫଳରେ ରାଜ୍ୟଗୁଡିକୁ ଋଣ ଉଠାଣ ଲାଗି କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ବୋଲି ସୀତାରାମନ ମତ ରଖିଛନ୍ତି।
କ୍ଷତିପୂରଣକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା
ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି ଅର୍ଥ ରାଶି କନ୍‌ସୋଲିଡେଟେଡ ଫଣ୍ଡ ଅଫ୍‌ ଇଣ୍ଡିଆରୁ ଉଠାଣ କରାଯାଇ ପାରିବ ନାହିଁ ବୋଲି ଆଟର୍ନି ଜେନେରାଲ ପୂର୍ବରୁ ମତ ରଖିଥିଲେ। ଏ ଦିଗରେ ପୁଣି ଥରେ ତାଙ୍କର ମତ ଲୋଡାଯିବ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆକଳନ ମୁତାବକ ଚଳିତ ଆର୍ଥତ୍କ ବର୍ଷରେ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କାର ଅର୍ଥ ଆବଶ୍ୟକ ହେଉଛି। ମାତ୍ର ଜିଏସ୍‌ଟି ବ୍ୟବସ୍ଥାରେ ଲାଗୁ ହେଉଥିବା ସେସ୍‌ରୁ ୬୫ ହଜାର କୋଟି ଟଙ୍କା ସଂଗ୍ରହ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ୨.୩୫ ଲକ୍ଷ କୋଟି ଟଙ୍କା ଏ ଦିଗରେ ନିଅଣ୍ଟ ପଡିବ। କଂଗ୍ରେସ ସମେତ ଅଣଭାଜପା ଶାସିତ ରାଜ୍ୟଗୁଡିକ ମତ ରଖିଛନ୍ତି ଯେ, ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର ପଦକ୍ଷେପ ଗ୍ରହଣ କରୁ। ରାଜ୍ୟଗୁଡିକ ଏହି କ୍ଷତିପୂରଣ ପ୍ରଦାନ କରିବା ଏକ ବୈଧାନିକ ଦାୟିତ୍ୱ ହୋଇଥିବାରୁ ଏହାକୁ କେନ୍ଦ୍ର ଅଗ୍ରାହ୍ୟ କରିପାରିବ ନାହିଁ। ମାତ୍ର କେନ୍ଦ୍ର ସରକାର ଏହାର ଆଇନତଗତ ଯୁକ୍ତି ମଧ୍ୟ ବାଢିଛନ୍ତି। ଯଦି ଟିକସ ସଂଗ୍ରହ କମେ ତେବେ ବାଧ୍ୟବାଧ୍ୟକତା ଭାବେ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯-୨୦ରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୧.୬୫ ଲକ୍ଷ କୋଟିର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିଛନ୍ତି। ଏହା ମଧ୍ୟରେ ମାର୍ଚ୍ଚରେ ୧୩,୮୦୬ କୋଟି ଟଙ୍କା ସାମିଲ ରହିଛି। ଏହି ସମୟ ଅବଧିରେ ୯୫,୪୪୪ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି।
ରାଜସ୍ବ ହ୍ରାସ ଚିନ୍ତାରେ ରାଜ୍ୟ
ରାଜ୍ୟଗୁଡ଼ିକର ମୋଟ୍‌ ଖର୍ଚ୍ଚ କେନ୍ଦ୍ର ସରକାରଙ୍କ ଖର୍ଚ୍ଚଠାରୁ ଅଧିକ। ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ମଧ୍ୟ ରାଜ୍ୟଗୁଡିକର ଖର୍ଚ୍ଚ ଉପରେ ନିର୍ଭର କରୁଛି। କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ସ୍ଥିତିରେ ରାଜ୍ୟଗୁଡିକ ଲାଗି ଅର୍ଥ ଏକ ପ୍ରମୁଖ ଆବଶ୍ୟକତା ହୋଇପଡିଛି। ସମସ୍ୟାର ସମାଧାନ ଲାଗି ଜିଏସ୍‌ଟି ପରିଷଦ ସାମ୍ନାରେ ଅନ୍ୟ କିଛି ବିକଳ୍ପ ରହିଛି। କ୍ଷତିପୂରଣ ସେସ୍‌କୁ ବଢାଯିବା, ସାମଗ୍ରୀ ଏବଂ ସେବା ଟିକସ ପରିସରରେ ଅଧିକ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରିବା ଏବଂ ପରିଶେଷରେ ବଜାରରୁ ଋଣ ଉଠାଇବା ଭଳି ବିକଳ୍ପ ପରିଷଦ ଚିନ୍ତା କରିପାରିବ। ଟିକସ ସ୍ଲାବ କିମ୍ବା ଜିଏସ୍‌ଟି ବୃଦ୍ଧି ନେଇ ରାଜ୍ୟଗୁଡିକ ବର୍ତ୍ତମାନ କେନ୍ଦ୍ର ସହିତ ସହମତ ନାହାନ୍ତି। ଅପରପକ୍ଷରେ ଋଣ ଉଠାଣ ନେଇ ମଧ୍ୟ ରାଜ୍ୟଗୁଡିକ କେନ୍ଦ୍ର ସହ ଏକମତ ସ୍ଥିତିରେ ନ ଥିବା ଜଣାପଡିଛି। ରାଜ୍ୟଗୁଡିକ ଋଣ ଉଠାଣ କରନ୍ତୁ ବୋଲି କେନ୍ଦ୍ର ଚାହୁଁଛି। ଆଗାମୀ ଦିନରେ ଟିକସ ସଂଗ୍ରହ ହେଲେ ଏହାକୁ ନେଇ ଋଣ ଅର୍ଥ ପଇଠ କରାଯିବ। ମାତ୍ର ରାଜ୍ୟଗୁଡିକ ଚାହୁଁଛନ୍ତି ପରିଷଦ ଏ ନେଇ ବ୍ୟବସ୍ଥା କରୁ ଏବଂ ସୁବିଧାକୁ ରାଜ୍ୟଗୁଡିକୁ ପ୍ରଦାନ କରୁ। ଟିକସ ସଂଗ୍ରହ କମିବାରୁ ଚଳିତ ବର୍ଷ ରାଜ୍ୟଗୁଡିକ ୩.୧ରୁ ୩.୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଲୋଡି ପାରନ୍ତି। ଏଥିଲାଗି ବଜାରରୁ ଅତିରିକ୍ତ ଋଣ ଉଠାଣ ଏବଂ ସେସ୍‌ ସଂଗ୍ରହ ସୀମାକୁ ବୃଦ୍ଧି କରିବା ଅନ୍ୟ ଏକ ସମାଧାନ ହୋଇ ପାରେ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ର ସରକାର ପ୍ରଦାନ କରିଥିବା ୨ ବିକଳ୍ପ ମଧ୍ୟରୁ କେଉଁ ବିକଳ୍ପ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri