ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ ସର୍ବାଧିକ ଆତ୍ମହତ୍ୟାପ୍ରବଣ: ଓଡ଼ିଶାର ହାର ଉଦ୍‌ବେଗଜନକ

କଟକ ଅଫିସ,୯ ।୬: ପୂର୍ବରୁ ଭାରତରେ ଆତ୍ମହତ୍ୟାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଉଥିଲା। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୯ ଅନୁଯାୟୀ, ଏଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ଥିଲା। ମାତ୍ର ୨୦୧୭ରେ ପ୍ରଣିତ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧିତ ଅଧିନିୟମ (ମେଣ୍ଟାଲ ହେଲ୍‌ଥ କେୟାର ଆକ୍ଟ)ରେ ଏହି ଦଣ୍ଡବିଧାନକୁ ଉଚ୍ଛେଦ କରାଯାଇଥିଲା। କାରଣ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଏହି ସମୟରେ ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଥାଏ। ମାତ୍ର ଦଣ୍ଡବିଧାନ ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଅଧିକ ମାନସିକ ଚାପ ପଡୁଥିବାରୁ ତାଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଦର୍ଶାଇ ଏହି ସଂଶୋଧନ କରାଯାଇଥିଲା। ତଥାପି ଦେଶରେ ଆତ୍ମହତ୍ୟା ଥମୁନାହିଁ। କାରଣ ଏସ୍‌ସିବି ମେଡିକାଲ ମାନସିକ ରୋଗ ପ୍ରତିଷ୍ଠାନର ରେକର୍ଡ କହୁଛି ଏଠାକୁ ଚିକିତ୍ସା ନିମନ୍ତେ ଆସୁଥିବା ସମୁଦାୟ ରୋଗୀଙ୍କ ମଧ୍ୟରୁ ପାଖାପାଖି ୨୦ ପ୍ରତିଶତ ଆତ୍ମହତ୍ୟା ଉଦ୍ୟମ କରିଥିବା ରୋଗୀ ବୋଲି ଜଣାପଡିଛି।

ବିଶ୍ୱରେ ପ୍ରତିବର୍ଷ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବାବେଳେ ସେଥିରୁ ଭାରତର ସଂଖ୍ୟା ୧ଲକ୍ଷ ୩୫ହଜାର ରହିଛି ବୋଲି ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ତଥ୍ୟରୁ ଜଣାପଡିଛି। ଅର୍ଥାତ୍‌ ସମୁଦାୟ ଆତ୍ମହତ୍ୟାର ୧୭ ପ୍ରତିଶତ କେବଳ ଭାରତରେ ଘଟୁଛି। ଏସ୍‌ସିବି ମେଡିକାଲ ମାନସିକ ରୋଗ ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡା. ସତ୍ୟକାମ ମହାପାତ୍ରଙ୍କ କହିବାନୁଯାୟୀ, ମହାରାଷ୍ଟ୍ର, ତାମିଲନାଡୁ ଓ କର୍ନାଟକ ରାଜ୍ୟରେ ଆତ୍ମହତ୍ୟାର ହାର ଅଧିକ। ଏନ୍‌ସିଆର୍‌ବି ତଥ୍ୟ କହୁଛି ପ୍ରତିବର୍ଷ ୫୦ରୁ ଅଧିକ ଆତ୍ମହତ୍ୟା ଘଟଣା ଘଟୁଥିବା ରାଜ୍ୟଗୁଡିକ ମଧ୍ୟରେ ନାଗାଲାଣ୍ଡ ଓ ମଣିପୁର ଥିବାବେଳେ ୫୦ରୁ ୩୦୦ ଆତ୍ମହତ୍ୟା ଘଟୁଥିବା ରାଜ୍ୟ ମଧ୍ୟରେ ଜମ୍ମୁ- କଶ୍ମୀର, ଉତ୍ତରାଖଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରହିଛି। ସେହିପରି ୩୦୦ରୁ ୨୦୦୦ ଆତ୍ମହତ୍ୟା ଘଟୁଥିବା ରାଜ୍ୟ ମଧ୍ୟରେ ପଞ୍ଜାବ, ଝାଡଖଣ୍ଡ, ହିମାଚଳପ୍ରଦେଶ ରହିଛି। ୨୦୦୦ରୁ ୧୦ହଜାର ମଧ୍ୟରେ ଓଡ଼ିଶା, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲୀ, ରାଜସ୍ଥାନ, ଗୁଜରାଟ ଭଳି ରାଜ୍ୟ ରହିଛି। ୧୦ହଜାରରୁ ଅଧିକ ଆତ୍ମହତ୍ୟା ଘଟୁଥିବା ରାଜ୍ୟଗୁଡିକ ମଧ୍ୟରେ ତାମିଲନାଡୁ, କର୍ନାଟକ ଓ ମହାରାଷ୍ଟ୍ର ରହିଛି।

ମାନସିକ ରୋଗ ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଭାରତରେ ୧୯୮୭ରୁ ୨୦୦୭ ମଧ୍ୟରେ ପ୍ରତି ୧ଲକ୍ଷ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ହାର ୭.୯ ପ୍ରତିଶତରୁ ୧୦.୩ ପ୍ରତିଶତକୁ ବୃଦ୍ଧି ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତି ୧ଲକ୍ଷ ମହିଳାରେ ୧୬.୪ ପ୍ରତିଶତ ଆତ୍ମହତ୍ୟା କରୁଛନ୍ତି। ଏହି ହାରରେ ଭାରତ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି। ସେହିପରି ପ୍ରତି ୧ଲକ୍ଷ ପୁରୁଷରେ ୨୫.୮ ପ୍ରତିଶତ ଆତ୍ମହତ୍ୟା କରୁଛନ୍ତି ଯାହା ବିଶ୍ୱରେ ୨୨ତମ ସ୍ଥାନରେ ରହିଛି। ଏନ୍‌ସିଆରବି ତଥ୍ୟ ଅନୁଯାୟୀ, ୨୦୧୫ରେ ଭାରତରେ ୧,୩୩,୬୨୩ଜଣ ଆତ୍ମହତ୍ୟା କରିଥିଲେ। ୨୦୧୪ ତୁଳନାରେ ତାହା ୧.୪ ପ୍ରତିଶତ ଅଧିକ ଥିଲା। ଏହି କ୍ରମରେ ଓଡ଼ିଶାକୁ ଦେଖିଲେ ଉକ୍ତ ବର୍ଷ ଆତ୍ମହତ୍ୟା ସଂଖ୍ୟା ୪୧୬୦ ଥିଲା।

ଆତ୍ମହତ୍ୟାର କାରଣଗୁଡିକ ସମ୍ପର୍କରେ ଡାକ୍ତରମାନେ ଯେଉଁ ତଥ୍ୟ ଦେଉଛନ୍ତି ତାହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଡା. ମହାପାତ୍ରଙ୍କ କହିବାନୁଯାୟୀ, ଏହା ଏକ ଜଟିଳ ସାମାଜିକ ସମସ୍ୟା। ଯେତିକି ଲୋକ ଆତ୍ମହତ୍ୟା ଜନିତ ମୃତ୍ୟୁବରଣ କରୁଛନ୍ତି ତାହାଠାରୁ ୨୦ଗୁଣ ଅଧିକ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଭାରତରେ ୧୫ରୁ ୩୫ବର୍ଷ ବୟସର ଯୁବତୀଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ବୋଲି ଡା. ମହାପାତ୍ର କହିଛନ୍ତି। ମୋଟ୍‌ ଆତ୍ମହତ୍ୟା ଘଟଣାରୁ ୯୦ ପ୍ରତିଶତ କେବଳ ବିଭିନ୍ନ ମାନସିକ ସମସ୍ୟା କାରଣରୁ କରିଥାନ୍ତି। ସେଗୁଡିକ ହେଲା ସ୍କିଜୋଫେର୍ନିଆ (ଦୀର୍ଘସ୍ଥାୟୀ ମାନସିକ ବିଶୃଙ୍ଖଳା), ମାନସିକ ଉଦ୍‌ବେଗ (ଏଙ୍ଗଜାଇଟି) ଓ ବ୍ୟକ୍ତିତ୍ୱ ବିକାର ରୋଗ। ବେରୋଜଗାରୀ, ଫସଲହାନି, ଆତ୍ମୀୟଙ୍କ ମୃତ୍ୟୁ, ପ୍ରେମରେ ବିଫଳତା ଓ ବିବାହ ବିଚ୍ଛେଦ ଆଦି ପ୍ରମୁଖ କାରଣ। ଏସ୍‌ସିବି ମେଡିକାଲକୁ ଅଧିକାଂଶ ଏହିଭଳି ରୋଗୀ ଆସୁଥିବା ଡା. ମହାପାତ୍ର କହିଛନ୍ତି। ଏଭଳି ଲକ୍ଷଣ ପ୍ରକାଶ ପାଉଥିବା ରୋଗୀଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ଆଣିବା ଉଚିତ୍‌ ବୋଲି ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି। ଉଦାହରଣ ଦେଇ ମହାପାତ୍ର କହିଛନ୍ତି, ଜଣେ ୩୦ ବର୍ଷୀୟ ଯୁବକ ଆର୍ଥିକ ସଙ୍କଟରେ ପଡିଥିଲେ। ଏହାକୁ ନେଇ ତାଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ବଢିବା ସହିତ ସେ ଉଦ୍ୟମ ମଧ୍ୟ କରିଥିଲେ। ମାତ୍ର ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ଆଣିବା ଦ୍ୱାରା ସେ ଉପକୃତ ହୋଇଥିଲେ। ଉପଯୁକ୍ତ କାଉନସେଲିଂ ଏହାର ଏକ ଅବ୍ୟର୍ଥ ଚିକିତ୍ସା ବୋଲି ଡା. ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ହେଲେ ୩,୮୮୪ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ୱର,୨୦।୧(ବ୍ୟୁରୋ) : ଓଡ଼ିଶାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ମୋଟ ୩,୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ରାଜ୍ୟ ସରକାର ନିୟମିତ କରିଛନ୍ତି। ଏ ସମ୍ପର୍କିତ ଫାଇଲ୍‌...

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶନିବାର ସା ୭ଟା ୩୦ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ...

୯ବର୍ଷ ବିତିଲା: ସରୁନି ୩୦ ଫୁଟିଆ ରାସ୍ତା କାମ

ପୁରୁଣା ଭୁବନେଶ୍ୱର, ୯ା୧(ଡି.ଏନ.ଏ.): ଭୁବନେଶ୍ୱରର କଟକ-ପୁରୀ ରାସ୍ତାରୁ ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା କମ୍‌ କରିବା ଲକ୍ଷ୍ୟ ନେଇ ୨୦୧୦ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୟା...

‘ଜ୍ୱିଗାଟୋ’ ଦେଖି ନନ୍ଦିତାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନବୀନ ନିବାସରେ ‘ଜ୍ବିଗାଟୋ’ ଫିଲ୍ମ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଫିଲ୍ମରେ ବେଶ୍‌ ସଫଳ...

ସ୍ବପ୍ନରେ ବିଶ୍ୱସ୍ତରୀୟ ଟର୍ମିନାଲ

୧୮୦ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟସିଟିର ସ୍ମାର୍ଟ ବସ୍‌ ଟର୍ମିନାଲ ରୂପ ନେଇଥାନ୍ତା ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ ଭାବେ ଏହାକୁ ଗଢି ତୋଳାଯାଇଥାନ୍ତା। ୨୦୧୯...

ଥାନା ସମ୍ମୁଖରେ ଧାରଣାରେ ବସିଲେ ଖବରଦାତା

ମାଲକାନଗିରି,୧୯ା୧୨(ଡି.ଏନ୍‌.ଏ.): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛି ମାଲକାନଗିରି ପୋଲିସ। ବିନା କାରଣରେ ୫ ଜଣ ଖବରଦାତାଙ୍କୁ ଉଠାଇ ନେଇ ଗିରଫ କରିଛି।...

ଅବଲୁପ୍ତ ଗ୍ରାମାଞ୍ଚଳ ପାଠାଗାର

ଯାଜପୁର ଅଫିସ,୧୮ା୭: ରାଜ୍ୟରେ ପାଠାଗାର ନିର୍ଦ୍ଦେଶାଳୟ ନ ଥିବାରୁ ସର୍ବସାଧାରଣ ପାଠାଗାରର ପ୍ରଚାର ପ୍ରସାରରେ ଅନ୍ତରାୟ ହୋଇଛି। ଯାଜପୁର ଜିଲା ବିଞ୍ଝାରପୁରଠାରେ ଏକ ପଠନ କେନ୍ଦ୍ର...

ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ବିମାନ ସେବା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଆସନ୍ତା ବର୍ଷ ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଏୟାର ଇଣ୍ଡିଆ ନୂଆ ବିମାନ ଚଳାଚଳ କରିବ। ଏ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା...

Advertisement
Archives

Model This Week