ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା

ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ ମିଛ ବୋଧେ ପ୍ରଶଂସାସୂଚକ ନିଶ୍ଚୟ। ମିଛ ସବୁବେଳେ, ସବୁ କାଳେ ମିଠା ବୋଲି ମିଛମୁହାଁ ରହନ୍ତି ଅନେକାନେକ। ମିଛ ସୁଖଦିଆ ଥାଏ ଶୁଣିବାରେ। କେବଳ ସ୍ବାର୍ଥ ସାଧନ ପାଇଁ ମିଛ ମଜାଳିଆ ଥାଏ କହିବାରେ। ମିଛ ପ୍ରଶଂସା କଲେ (ଯିଏ ଯାହା ନୁହେଁ ତାହା ତାଙ୍କ ଆଗେ ଉଦ୍‌ଗାରିଲେ ମାନେ କହିଲେ) ତହିଁରୁ ଖୁସି ସାଉଁଟୁଥିବା ଲୋକକୁ ମିଛ ପ୍ରଶଂସକ ଗୋଟେ ପାଖେ ପିଠି ଥାପୁଥାଏ, ଅନ୍ୟ ପାଖେ ଚୋରକୁ ସାଧୁ କୁହାଗଲେ ସେ ଶୁଣି ମିଛ ସୁଖ ସାଉଁଟେ। ସ୍ବାର୍ଥପର ସ୍ବାର୍ଥ ହାତେଇବା ପାଇଁ ମିଛ କହନ୍ତି। ପ୍ରଶଂସାକାଙ୍ଗାଳ ମିଛ ପ୍ରଶଂସାରେ ଭଳିଯାଇ ଖୁବ୍‌ ଖୁସି ସୁଖ ପାଆନ୍ତି ମିଛ କଥା ଶ୍ରବଣରୁ। ଯେ ମିଛ ପ୍ରଶଂସା କରେ ସେ ମିଛୁଆ। ଆଉ ଯିଏ ମିଛ ପ୍ରଶଂସା ଶୁଣି କୁତୁକୁତୁ ହୁଏ ସିଏ ମିଛର ସୌଦାଗର ମାନେ ବଡ଼ ମିଛୁଆ।
ମିଛୁଆଙ୍କ ଭିତରେ କିଛି ପ୍ରଭେଦ ନ ଥାଏ। ତେଣୁ ସହଜରେ ହୋଇଥାଏ ମିଛୁଆ ମେଳି ସବୁଠି। ମିଛୁଆ ବରଂ ମିଛ ବିଶେଷଣରେ ଆହ୍ଲାଦିତ ହୁଏ। ହାତ ଦେଖାଳି ମିଛ କହି ଅନ୍ୟକୁ ଲୁଟିଥାନ୍ତି। ହୃଦୟହୀନକୁ ହୃଦୟବାନ୍‌ କହିଲେ ସିନା ସେ ଖୁସି ହୋଇ କିଛି ଦେବ। ଅସଲ ଚୋରକୁ ଯଦି ଚୋର କହିଦେଲେ ସେ କ’ଣ ଦେବ ନା ଦିଏ ? ଓଲଟା ମାରି ଗୋଡ଼ାଇପାରେ। ମିଛ ଟିକେ କହିଦେଲେ ଯଦି ଫାଇଦା ଅଛି, ଫାଇଦା ମିଳୁଛି ତେବେ ସେଇଠି ମିଛ ନ କହିବେ କାହିଁକି? ପୁଣି ସତ କହି ଅନ୍ୟର ଆକ୍ରୋଶର ସମ୍ମୁଖୀନ ହେବେ କାହିଁକି? ଏଇଥିପାଇଁ ବୋଧେ ସର୍ବତ୍ର ମିଛ କୁହାଚାଲିଛି । ମିଛ ମିଠା ମୋହରେ ଆଜି ଅନେକ ଆକ୍ରାନ୍ତ। ସଂକ୍ରମିତ। ସେମାନେ ଠିକ୍‌ ଜାଣିଥାନ୍ତି ସତ କ’ଣ ମିଛ କ’ଣ, ଖାଲି ସ୍ବାର୍ଥ ପାଇଁ ମିଛ ଲଡ଼ୁ ଖାଆନ୍ତି, ଖୁଆନ୍ତି। ମିଛୁଆ ବିଶେଷଣ ମିଛୁଆଙ୍କୁ ବ୍ୟତିବ୍ୟସ୍ତ ବି କରେ ନାହିଁ, ବରଂ ଉଲ୍ଲସିତ କରେ ଅନେକ।
ବିଶ୍ୱ ମଧୁମୟ ହେବା ବଦଳରେ ମିଛମୟ ହେବାରେ ଲାଗିଛି ଯେମିତି। ସତଟା ସତ। ହେଲେ ସତ କହି ସତୁଆ ହେବାକୁ କେତେଜଣ ଚାହାନ୍ତି? ମିଛ ଯେ କହେ ତା’ ପାଇଁ ରହେ ସୁଖକର, ଯେ ମିଛ କଥା ଶୁଣେ ସେ ବି ଅନୁଭବେ ସୁଖ। ମିଛ ତା’ ପାଇଁ ହୁଏ ସୁଖପ୍ରଦ। ହେଲେ ସତ ଯେ କହେ ସେ ଅନୁଭବକରେ ସୁଖ, କିନ୍ତୁ ଯିଏ ଶୁଣେ ସେ ପାଏ ଅସୁଖ ଦୁଃଖ। ସତ ଅନେକଙ୍କୁ ଖୁସି ଦେଇପାରେନା। ସତ କହିଲେ ବିଭ୍ରାଟ ଘଟେ। ସତ କହିଲେ ପାଦ ତଳର ମାଟି ଖସିଯିବା ସମ୍ଭାବନା ରହେ। ତଥାପି ସତ କହି ବିପଦମୁହାଁ ହେବାକୁ ସାହସ ସଞ୍ଚୟ କରନ୍ତି ସାହସୀ ସତୁଆ। ମିଛ ସହ ସନ୍ଧି କରିପାରନ୍ତିନି ତଥାକଥିତ ସ୍ବାଭିମାନୀ ସତୁଆ ସତ୍ୟପ୍ରିୟ। ସ୍ଥଳ ବିଶେଷରେ ସତ କହି ବିପଦରେ ପଡ଼େ। ଅନ୍ୟପାଖେ ମିଛୁଆଙ୍କ ସତକୁ ଗ୍ରହଣ କରିବା ପାଇଁ ନା ଥାଏ ବିଚାର ନା ରହେ ଧୈର୍ଯ୍ୟ ବା ଶକ୍ତି। ଆମର ଯେମିତି କଥା ରହିଛି, ‘ମାଆ ଜାଣେ ବାପ, ମନ ଜାଣେ ପାପ’। ନିଜ ଛାତି ଉପରେ ନିଜ ହାତ ରଖି କହିପାରନ୍ତି ସେ ସତ କହୁଛନ୍ତି ନା ମିଛ ! ଆଜିର ଦିନରେ ନିଜକୁ ଠକୁଥିବା ଲୋକଙ୍କ ସଂଖ୍ୟା ବେଶ୍‌ ବଢୁଛି। ଆଜିର ଦିନରେ ପୁଣି କେତେଜଣ ବ୍ୟକ୍ତି ନିଜ ନାଆଁ ଆଗେ ମିଛ ବିଶେଷଣ ଯୋଡ଼ିବାରେ ବି ଖୁସି ରହନ୍ତି। ଦୂରଲୋକ ନୁହଁ, ନିଜ ଗାଆଁ ସହରର ଜାଣିଥିବା ଲୋକ ନିଜ ମିଛ ବିଶେଷଣରୁ ତାଙ୍କୁ ଯେ କ’ଣ ଭାବିବେ, ସେ ଦିଗ ପ୍ରତି ଆଖି ବୁଜିଦେଇଥାନ୍ତି ମିଛ ବିଶେଷଣଯୁକ୍ତ ବ୍ୟକ୍ତି।
ବିଭିନ୍ନ ବୃତ୍ତିଧାରୀଙ୍କ ଆଗେ ସେଇ ବୃତ୍ତି ସୂଚକ ବିଶେଷଣ ଯୋଡ଼ିହେବାରେ ଭୁଲ୍‌ ବା ବିଚିତ୍ରତା ରହି ନ ଥାଏ। ବୃତ୍ତି ମାଧ୍ୟମରେ ସେବା କାର୍ଯ୍ୟ କରାଯାଏ। ବୃତ୍ତିରେ ରହି ସେବା ଦେବା କାର୍ଯ୍ୟକୁ ପରିପୁଷ୍ଟ କରିହୁଏ। ରୋଗ ଚିକିତ୍ସା କରୁଥିବା ଡାକ୍ତରଙ୍କ ନଁା ଆଗେ ଡକ୍ଟର ବା ଡାକ୍ତର, ଅଧ୍ୟାପନା ବୃତ୍ତିଧାରୀଙ୍କ ନଁା ଆଗେ ଅଧ୍ୟାପକ, ଯେ ଶିକ୍ଷାଦାନ କରେ ସେ ଶିକ୍ଷକ,କୋଠାବାଡ଼ି ନିର୍ମାଣ ପାଇଁ ରହିଥିବା ବୃତ୍ତିଜୀବୀଙ୍କ ନାଆଁ ଆଗେ ବିଶେଷଣ ବସେ ଯନ୍ତ୍ରୀ, ଓକିଲାତି କରୁଥିବା ବୃତ୍ତିଜୀବୀଙ୍କ ପରିଚୟ ଓକିଲ,ଏମିତି ଯେତେ ବୃତ୍ତି ସେତେ ବିଶେଷଣ ଲାଗେ ବୃତ୍ତିଜୀବୀଙ୍କ ନାଁ ଆଗେ। ସେମିତି କଳା କ୍ଷେତ୍ରରେ ଥିବା ସୃଜନ ପ୍ରତିଭାଙ୍କ ବିବିଧ ବିଶେଷଣ ରହିବା ସ୍ବାଭାବିକ। ଯେ ଲେଖେ ସେ ଲେଖକ। ପୁଣି ଯେ କବିତା ଲେଖନ୍ତି ସେ କବି, ଗପ ଲେଖିଲେ ଗାଳ୍ପିକ ବା କଥାକାର, ପ୍ରବନ୍ଧ ଲେଖକଙ୍କ ପରିଚୟ ପ୍ରାବନ୍ଧିକ, ଉପନ୍ୟାସ ଲେଖି ଔପନ୍ୟାସିକ ହୁଅନ୍ତି, ନାଟ୍ୟକାର ନାଟକ ଲେଖନ୍ତି। ଯିଏ ଚିତ୍ର ଆଙ୍କନ୍ତି ସେ ଚିତ୍ରକର ଇତ୍ୟାଦି ବୃତ୍ତିଭିତ୍ତିକ ବିଶେଷଣରେ ପରିଚିତ ହୁଅନ୍ତି।
ଏବେ ନୁହେଁ, କେବେଠୁ ବିଶେଷଣର ଭେଳିକି ଦେଖାଇଲେଣି କେତେଜଣ କର୍ମଜୀବୀ, କଳାକାର, ସାହିତ୍ୟକାର। ତାଙ୍କ ନାଁ ଆଗେ ଯେମିତି ବୃତ୍ତିଗତ ବିଶେଷଣ ବସିଲେ ଯାଇ ଚଳେ। ଏବେ ଏବେ ବିଭିନ୍ନ ଆକାରେ ପ୍ରକାରେ ପରିଚୟ ତିଆରିବା କାମରେ ରହିଲେଣି ଥୋକାଏ। ତାଙ୍କ ପାଇଁ ଯେମିତି ହେଲେ ପରିଚୟଟେ ତିଆରି ହେବା ଦରକାର। ଏଇ ମାନସିକତା ରଖି ପରିଚୟ ତିଆରି କାମରେ ରହନ୍ତି। ଏଥିପାଇଁ ଥୋକାଏ ପୁରସ୍କାର ସଂଗ୍ରହ ଅଭିଯାନରେ ରହନ୍ତି। ବିଭିନ୍ନ ସାହିତ୍ୟ ସଂସ୍ଥାର ଏଜେଣ୍ଟ ସାଜନ୍ତି। ବିଭିନ୍ନ ପ୍ରାଇଭେଟ କଲେଜରେ ଛାତ୍ର ସଂଗ୍ରହ ପାଇଁ ଯେମିତି ଏଜେଣ୍ଟ କାମ କରନ୍ତି ଏଠି ସେଠି, ଠିକ୍‌ ସେଇ ଢାଞ୍ଚାରେ ସାହିତ୍ୟ ସଂସ୍ଥା ପାଇଁ କାମ କରନ୍ତି ଲେଖା ଓ ଲେଖକ ଯୋଗାଡ଼ ପାଇଁ। ସାହିତ୍ୟ ବେପାର ଚଳାଇଥିବା ସାହିତ୍ୟ ଅନୁଷ୍ଠାନର କିଣାବିକା ସାହିତ୍ୟ ପୁରସ୍କାର ପାଇଁ ନାଁ ପଠାଇ (ଦିଆଥୁଆ ଆଧାରରେ) ଏଜେଣ୍ଟ ମଧ୍ୟସ୍ଥ ସାଜି ଦି’ପଇସା ପାଆନ୍ତି ମଧ୍ୟ। ବିଶେଷକରି ସାହିତ୍ୟ ସୃଜନ କଳାକର୍ମର କଳାକାରଙ୍କ ନାଆଁ ଆଗେ କବି, ଲେଖକ ଆଦି ବିଶେଷଣ ନିହାତି ରହିବା କ’ଣ ଜରୁରୀ ? କବିତା ଯିଏ ଲେଖିଛନ୍ତି ସେ ତ କବି, ସେଠି ପୁଣି ନଁା ଆଗେ କବି ଲେଖିବା କି ଦରକାର ଥାଏ? ଏବେ ତ ଆତ୍ମଘୋଷିତ ଉପାଧିରେ ଭୂଷିତ ହେଲେଣି ଉପାଧିପ୍ରିୟମାନେ।
ନିଜ ଲେଖା ତଳେ ଘର ଠିକଣା ଦେବା ବଦଳରେ ଅମୁକ, ସମୁକ ଢମୁକ ଆଦି ବିବିଧ ବିଶେଷଣ ଥୋଇଲେଣି ଯେମିତିକି ବିଶେଷଣଗୁଡ଼ାକ ଗବେଷଣାଲବ୍ଧ। କିଣା ବିଶେଷଣର ମୋହ କେତେଜଣଙ୍କୁ ଖୁବ୍‌ ଘାରେ। ଘାରୁଛି। ବିଶେଷଣ ଭେଳିକି ଦେଖାଇବାରେ ବି ଅଜବ ଖୁସି ପାଆନ୍ତି କେମିତି କେଜାଣି ସେଇ ବିଶେଷଣଧାରୀ! ଲେଖା ପ୍ରକାଶନ ହେବାରେ ବୋଧେ ସେଇ ବିଶେଷଣ ସବୁ ସ୍ଥଳ ବିଶେଷରେ କାମକରେ। ସାହାଯ୍ୟକରେ କାହା କାହାକୁ। ହେଲେ ଠୋସ୍‌ ଲେଖକ ପାଇଁ କୌଣସି ବିଶେଷଣର ଆବଶ୍ୟକତା ବୋଧେ ରହି ନ ଥାଏ କେବେ ହେଲେ। ନାଁ କରା ଲେଖକ ପାଇଁ ବିଶେଷଣ ନୁହେଁ ନାଁ ହିଁ ଯଥେଷ୍ଟ ଥାଏ।
ବଉଦରାଜ, ବୌଦ୍ଧ
ମୋ:୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri