ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା

ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ ମିଛ ବୋଧେ ପ୍ରଶଂସାସୂଚକ ନିଶ୍ଚୟ। ମିଛ ସବୁବେଳେ, ସବୁ କାଳେ ମିଠା ବୋଲି ମିଛମୁହାଁ ରହନ୍ତି ଅନେକାନେକ। ମିଛ ସୁଖଦିଆ ଥାଏ ଶୁଣିବାରେ। କେବଳ ସ୍ବାର୍ଥ ସାଧନ ପାଇଁ ମିଛ ମଜାଳିଆ ଥାଏ କହିବାରେ। ମିଛ ପ୍ରଶଂସା କଲେ (ଯିଏ ଯାହା ନୁହେଁ ତାହା ତାଙ୍କ ଆଗେ ଉଦ୍‌ଗାରିଲେ ମାନେ କହିଲେ) ତହିଁରୁ ଖୁସି ସାଉଁଟୁଥିବା ଲୋକକୁ ମିଛ ପ୍ରଶଂସକ ଗୋଟେ ପାଖେ ପିଠି ଥାପୁଥାଏ, ଅନ୍ୟ ପାଖେ ଚୋରକୁ ସାଧୁ କୁହାଗଲେ ସେ ଶୁଣି ମିଛ ସୁଖ ସାଉଁଟେ। ସ୍ବାର୍ଥପର ସ୍ବାର୍ଥ ହାତେଇବା ପାଇଁ ମିଛ କହନ୍ତି। ପ୍ରଶଂସାକାଙ୍ଗାଳ ମିଛ ପ୍ରଶଂସାରେ ଭଳିଯାଇ ଖୁବ୍‌ ଖୁସି ସୁଖ ପାଆନ୍ତି ମିଛ କଥା ଶ୍ରବଣରୁ। ଯେ ମିଛ ପ୍ରଶଂସା କରେ ସେ ମିଛୁଆ। ଆଉ ଯିଏ ମିଛ ପ୍ରଶଂସା ଶୁଣି କୁତୁକୁତୁ ହୁଏ ସିଏ ମିଛର ସୌଦାଗର ମାନେ ବଡ଼ ମିଛୁଆ।
ମିଛୁଆଙ୍କ ଭିତରେ କିଛି ପ୍ରଭେଦ ନ ଥାଏ। ତେଣୁ ସହଜରେ ହୋଇଥାଏ ମିଛୁଆ ମେଳି ସବୁଠି। ମିଛୁଆ ବରଂ ମିଛ ବିଶେଷଣରେ ଆହ୍ଲାଦିତ ହୁଏ। ହାତ ଦେଖାଳି ମିଛ କହି ଅନ୍ୟକୁ ଲୁଟିଥାନ୍ତି। ହୃଦୟହୀନକୁ ହୃଦୟବାନ୍‌ କହିଲେ ସିନା ସେ ଖୁସି ହୋଇ କିଛି ଦେବ। ଅସଲ ଚୋରକୁ ଯଦି ଚୋର କହିଦେଲେ ସେ କ’ଣ ଦେବ ନା ଦିଏ ? ଓଲଟା ମାରି ଗୋଡ଼ାଇପାରେ। ମିଛ ଟିକେ କହିଦେଲେ ଯଦି ଫାଇଦା ଅଛି, ଫାଇଦା ମିଳୁଛି ତେବେ ସେଇଠି ମିଛ ନ କହିବେ କାହିଁକି? ପୁଣି ସତ କହି ଅନ୍ୟର ଆକ୍ରୋଶର ସମ୍ମୁଖୀନ ହେବେ କାହିଁକି? ଏଇଥିପାଇଁ ବୋଧେ ସର୍ବତ୍ର ମିଛ କୁହାଚାଲିଛି । ମିଛ ମିଠା ମୋହରେ ଆଜି ଅନେକ ଆକ୍ରାନ୍ତ। ସଂକ୍ରମିତ। ସେମାନେ ଠିକ୍‌ ଜାଣିଥାନ୍ତି ସତ କ’ଣ ମିଛ କ’ଣ, ଖାଲି ସ୍ବାର୍ଥ ପାଇଁ ମିଛ ଲଡ଼ୁ ଖାଆନ୍ତି, ଖୁଆନ୍ତି। ମିଛୁଆ ବିଶେଷଣ ମିଛୁଆଙ୍କୁ ବ୍ୟତିବ୍ୟସ୍ତ ବି କରେ ନାହିଁ, ବରଂ ଉଲ୍ଲସିତ କରେ ଅନେକ।
ବିଶ୍ୱ ମଧୁମୟ ହେବା ବଦଳରେ ମିଛମୟ ହେବାରେ ଲାଗିଛି ଯେମିତି। ସତଟା ସତ। ହେଲେ ସତ କହି ସତୁଆ ହେବାକୁ କେତେଜଣ ଚାହାନ୍ତି? ମିଛ ଯେ କହେ ତା’ ପାଇଁ ରହେ ସୁଖକର, ଯେ ମିଛ କଥା ଶୁଣେ ସେ ବି ଅନୁଭବେ ସୁଖ। ମିଛ ତା’ ପାଇଁ ହୁଏ ସୁଖପ୍ରଦ। ହେଲେ ସତ ଯେ କହେ ସେ ଅନୁଭବକରେ ସୁଖ, କିନ୍ତୁ ଯିଏ ଶୁଣେ ସେ ପାଏ ଅସୁଖ ଦୁଃଖ। ସତ ଅନେକଙ୍କୁ ଖୁସି ଦେଇପାରେନା। ସତ କହିଲେ ବିଭ୍ରାଟ ଘଟେ। ସତ କହିଲେ ପାଦ ତଳର ମାଟି ଖସିଯିବା ସମ୍ଭାବନା ରହେ। ତଥାପି ସତ କହି ବିପଦମୁହାଁ ହେବାକୁ ସାହସ ସଞ୍ଚୟ କରନ୍ତି ସାହସୀ ସତୁଆ। ମିଛ ସହ ସନ୍ଧି କରିପାରନ୍ତିନି ତଥାକଥିତ ସ୍ବାଭିମାନୀ ସତୁଆ ସତ୍ୟପ୍ରିୟ। ସ୍ଥଳ ବିଶେଷରେ ସତ କହି ବିପଦରେ ପଡ଼େ। ଅନ୍ୟପାଖେ ମିଛୁଆଙ୍କ ସତକୁ ଗ୍ରହଣ କରିବା ପାଇଁ ନା ଥାଏ ବିଚାର ନା ରହେ ଧୈର୍ଯ୍ୟ ବା ଶକ୍ତି। ଆମର ଯେମିତି କଥା ରହିଛି, ‘ମାଆ ଜାଣେ ବାପ, ମନ ଜାଣେ ପାପ’। ନିଜ ଛାତି ଉପରେ ନିଜ ହାତ ରଖି କହିପାରନ୍ତି ସେ ସତ କହୁଛନ୍ତି ନା ମିଛ ! ଆଜିର ଦିନରେ ନିଜକୁ ଠକୁଥିବା ଲୋକଙ୍କ ସଂଖ୍ୟା ବେଶ୍‌ ବଢୁଛି। ଆଜିର ଦିନରେ ପୁଣି କେତେଜଣ ବ୍ୟକ୍ତି ନିଜ ନାଆଁ ଆଗେ ମିଛ ବିଶେଷଣ ଯୋଡ଼ିବାରେ ବି ଖୁସି ରହନ୍ତି। ଦୂରଲୋକ ନୁହଁ, ନିଜ ଗାଆଁ ସହରର ଜାଣିଥିବା ଲୋକ ନିଜ ମିଛ ବିଶେଷଣରୁ ତାଙ୍କୁ ଯେ କ’ଣ ଭାବିବେ, ସେ ଦିଗ ପ୍ରତି ଆଖି ବୁଜିଦେଇଥାନ୍ତି ମିଛ ବିଶେଷଣଯୁକ୍ତ ବ୍ୟକ୍ତି।
ବିଭିନ୍ନ ବୃତ୍ତିଧାରୀଙ୍କ ଆଗେ ସେଇ ବୃତ୍ତି ସୂଚକ ବିଶେଷଣ ଯୋଡ଼ିହେବାରେ ଭୁଲ୍‌ ବା ବିଚିତ୍ରତା ରହି ନ ଥାଏ। ବୃତ୍ତି ମାଧ୍ୟମରେ ସେବା କାର୍ଯ୍ୟ କରାଯାଏ। ବୃତ୍ତିରେ ରହି ସେବା ଦେବା କାର୍ଯ୍ୟକୁ ପରିପୁଷ୍ଟ କରିହୁଏ। ରୋଗ ଚିକିତ୍ସା କରୁଥିବା ଡାକ୍ତରଙ୍କ ନଁା ଆଗେ ଡକ୍ଟର ବା ଡାକ୍ତର, ଅଧ୍ୟାପନା ବୃତ୍ତିଧାରୀଙ୍କ ନଁା ଆଗେ ଅଧ୍ୟାପକ, ଯେ ଶିକ୍ଷାଦାନ କରେ ସେ ଶିକ୍ଷକ,କୋଠାବାଡ଼ି ନିର୍ମାଣ ପାଇଁ ରହିଥିବା ବୃତ୍ତିଜୀବୀଙ୍କ ନାଆଁ ଆଗେ ବିଶେଷଣ ବସେ ଯନ୍ତ୍ରୀ, ଓକିଲାତି କରୁଥିବା ବୃତ୍ତିଜୀବୀଙ୍କ ପରିଚୟ ଓକିଲ,ଏମିତି ଯେତେ ବୃତ୍ତି ସେତେ ବିଶେଷଣ ଲାଗେ ବୃତ୍ତିଜୀବୀଙ୍କ ନାଁ ଆଗେ। ସେମିତି କଳା କ୍ଷେତ୍ରରେ ଥିବା ସୃଜନ ପ୍ରତିଭାଙ୍କ ବିବିଧ ବିଶେଷଣ ରହିବା ସ୍ବାଭାବିକ। ଯେ ଲେଖେ ସେ ଲେଖକ। ପୁଣି ଯେ କବିତା ଲେଖନ୍ତି ସେ କବି, ଗପ ଲେଖିଲେ ଗାଳ୍ପିକ ବା କଥାକାର, ପ୍ରବନ୍ଧ ଲେଖକଙ୍କ ପରିଚୟ ପ୍ରାବନ୍ଧିକ, ଉପନ୍ୟାସ ଲେଖି ଔପନ୍ୟାସିକ ହୁଅନ୍ତି, ନାଟ୍ୟକାର ନାଟକ ଲେଖନ୍ତି। ଯିଏ ଚିତ୍ର ଆଙ୍କନ୍ତି ସେ ଚିତ୍ରକର ଇତ୍ୟାଦି ବୃତ୍ତିଭିତ୍ତିକ ବିଶେଷଣରେ ପରିଚିତ ହୁଅନ୍ତି।
ଏବେ ନୁହେଁ, କେବେଠୁ ବିଶେଷଣର ଭେଳିକି ଦେଖାଇଲେଣି କେତେଜଣ କର୍ମଜୀବୀ, କଳାକାର, ସାହିତ୍ୟକାର। ତାଙ୍କ ନାଁ ଆଗେ ଯେମିତି ବୃତ୍ତିଗତ ବିଶେଷଣ ବସିଲେ ଯାଇ ଚଳେ। ଏବେ ଏବେ ବିଭିନ୍ନ ଆକାରେ ପ୍ରକାରେ ପରିଚୟ ତିଆରିବା କାମରେ ରହିଲେଣି ଥୋକାଏ। ତାଙ୍କ ପାଇଁ ଯେମିତି ହେଲେ ପରିଚୟଟେ ତିଆରି ହେବା ଦରକାର। ଏଇ ମାନସିକତା ରଖି ପରିଚୟ ତିଆରି କାମରେ ରହନ୍ତି। ଏଥିପାଇଁ ଥୋକାଏ ପୁରସ୍କାର ସଂଗ୍ରହ ଅଭିଯାନରେ ରହନ୍ତି। ବିଭିନ୍ନ ସାହିତ୍ୟ ସଂସ୍ଥାର ଏଜେଣ୍ଟ ସାଜନ୍ତି। ବିଭିନ୍ନ ପ୍ରାଇଭେଟ କଲେଜରେ ଛାତ୍ର ସଂଗ୍ରହ ପାଇଁ ଯେମିତି ଏଜେଣ୍ଟ କାମ କରନ୍ତି ଏଠି ସେଠି, ଠିକ୍‌ ସେଇ ଢାଞ୍ଚାରେ ସାହିତ୍ୟ ସଂସ୍ଥା ପାଇଁ କାମ କରନ୍ତି ଲେଖା ଓ ଲେଖକ ଯୋଗାଡ଼ ପାଇଁ। ସାହିତ୍ୟ ବେପାର ଚଳାଇଥିବା ସାହିତ୍ୟ ଅନୁଷ୍ଠାନର କିଣାବିକା ସାହିତ୍ୟ ପୁରସ୍କାର ପାଇଁ ନାଁ ପଠାଇ (ଦିଆଥୁଆ ଆଧାରରେ) ଏଜେଣ୍ଟ ମଧ୍ୟସ୍ଥ ସାଜି ଦି’ପଇସା ପାଆନ୍ତି ମଧ୍ୟ। ବିଶେଷକରି ସାହିତ୍ୟ ସୃଜନ କଳାକର୍ମର କଳାକାରଙ୍କ ନାଆଁ ଆଗେ କବି, ଲେଖକ ଆଦି ବିଶେଷଣ ନିହାତି ରହିବା କ’ଣ ଜରୁରୀ ? କବିତା ଯିଏ ଲେଖିଛନ୍ତି ସେ ତ କବି, ସେଠି ପୁଣି ନଁା ଆଗେ କବି ଲେଖିବା କି ଦରକାର ଥାଏ? ଏବେ ତ ଆତ୍ମଘୋଷିତ ଉପାଧିରେ ଭୂଷିତ ହେଲେଣି ଉପାଧିପ୍ରିୟମାନେ।
ନିଜ ଲେଖା ତଳେ ଘର ଠିକଣା ଦେବା ବଦଳରେ ଅମୁକ, ସମୁକ ଢମୁକ ଆଦି ବିବିଧ ବିଶେଷଣ ଥୋଇଲେଣି ଯେମିତିକି ବିଶେଷଣଗୁଡ଼ାକ ଗବେଷଣାଲବ୍ଧ। କିଣା ବିଶେଷଣର ମୋହ କେତେଜଣଙ୍କୁ ଖୁବ୍‌ ଘାରେ। ଘାରୁଛି। ବିଶେଷଣ ଭେଳିକି ଦେଖାଇବାରେ ବି ଅଜବ ଖୁସି ପାଆନ୍ତି କେମିତି କେଜାଣି ସେଇ ବିଶେଷଣଧାରୀ! ଲେଖା ପ୍ରକାଶନ ହେବାରେ ବୋଧେ ସେଇ ବିଶେଷଣ ସବୁ ସ୍ଥଳ ବିଶେଷରେ କାମକରେ। ସାହାଯ୍ୟକରେ କାହା କାହାକୁ। ହେଲେ ଠୋସ୍‌ ଲେଖକ ପାଇଁ କୌଣସି ବିଶେଷଣର ଆବଶ୍ୟକତା ବୋଧେ ରହି ନ ଥାଏ କେବେ ହେଲେ। ନାଁ କରା ଲେଖକ ପାଇଁ ବିଶେଷଣ ନୁହେଁ ନାଁ ହିଁ ଯଥେଷ୍ଟ ଥାଏ।
ବଉଦରାଜ, ବୌଦ୍ଧ
ମୋ:୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?