ବାରି ବରକୋଳି

ଝିଅ ଅଳି କରି କହିଲା, ବାପା ବରକୋଳି ଆଣିବ। କଲିକତି କୋଳି ନୁହଁ, ଦେଶୀ କୋଳି। ବଜାରରେ ଆଖି ବୁଲେଇଲି। ସବୁଠି ଦେଖିଲି ବଡ ବଡ କୋଳି। ଶାକରକନ୍ଦା, ପିଜୁଳି, କମଳା, ସେଓଗୁଡ଼ିକ ଭିତରେ ତା’ର ଉପସ୍ଥିତି ଦେଖିଲି। ଠେଲା ଦୋକାନୀ ଭାଇଙ୍କୁ ପଚାରିଲି, ଭାଇ ବରକୋଳି ଦାମ୍‌ କେତେ? ବିକାଳି ଭାଇ କହିଲେ, କିଲୋ ଅଶୀ ଟଙ୍କା। ଇଚ୍ଛା ହେଉଥାଏ ଗୋଟିଏ ଚାଖିବି। ଭଲ ଲାଗିଲେ ନେବି। ହେଲେ, ହାତ ଯାଉ ନ ଥାଏ ଗୋଟିଏ ଧରିବାକୁ। ଦୋକାନୀ କହିଲା ନେଉନାହାନ୍ତି। ଭଲ ଲାଗିବ। ବାହାରୁ ଆସୁଚି। ସେଇଥିପାଇଁ ଏତେ ରେଟ୍‌। ହାତକୁ ଗୋଟିଏ ବଢେଇଦେଲା। କହିଲା ଚାଖନ୍ତୁ। ଭଲ ଲାଗିଲେ ନେବେ। ଖାଇବା ପୂର୍ବରୁ କୋଳିଟିକୁ ଧୋଇବି ବୋଲି ଭାବୁଥିଲି। ଦୋକାନୀ ଭାଇ ପାଣି ବଢେଇ ଦେଲେ। ଧୋଇବା ଭିତରେ ମନେପଡିଯାଉଥାଏ ପିଲାବେଳ କଥା। ପିଲାବେଳେ ସାଙ୍ଗମାନଙ୍କ ସହିତ କେତେ ଅସନା ଜାଗାରୁ ବିନା ଧୁଆରେ ଖାଇଛି। କାଇଁ ମୋର ତ କିଛି କ୍ଷତି ହୋଇନି। ଗାଁରେ କୋଳି ବିକୁଚି କିଏ। କିଣୁଚି କିଏ। ସମସ୍ତଙ୍କ ବାଡିରେ ବରକୋଳି ଗଛ। ଯେଉଁ ଗାଁରେ କୋଳି ଗଛ ନାହିଁ ସେ ଗାଁର ପିଲାମାନେ କୋଳି ଖାଇବାକୁ ପଡିଶା ଗାଁକୁ ଆସିଥାନ୍ତି। କୋଳି ଦବାନବା ଭିତରେ ବନ୍ଧୁତା ମଧ୍ୟ ବଢ଼େ। ପିଲାମାନେ କୋଳି ଖାଇବାକୁ ଅଧିକ ଭଲ ପାଆନ୍ତି। ପୁଣି ଝିଅମାନଙ୍କ କଥା ନ କହିଲେ ଭଲ। ସେମାନଙ୍କର କୋଳି ପାଇଁ ସ୍ବତନ୍ତ୍ର ଦୁର୍ବଳତା ରହିଛି।
ମୋର ଭାବନାକୁ ବାଧା ଦେଇ କୋଳି ବିକାଳି କହିଲା କେତେ ଦେବି ବାବୁ? ଇଚ୍ଛା ନ ଥାଇ ବାଧ୍ୟ ହୋଇ ଅଢେଇଶ’ ମାଗିଲି। ଦୋକାନୀ କହିଲା, ଅଢେଇଶ’ରେ କେତୋଟି ହେବ। ଅଧ କେଜିଏ ନେଇ ଯାଆନ୍ତୁ। ଘରେ ସମସ୍ତେ ଗୋଟେ ଦି’ଟା ଖାଇବେ। ମନା କଲି। କହିଲି, ଅଢେଇଶ’ ଦିଅ। ଯେତୋଟି କୋଳି ମିଳିଲା ନ କହିଲେ ଭଲ। ଦୋକାନୀକୁ କହିଲି, ଦେଶୀ କୋଳି ରଖୁନ କି? ସେ କହିଲା, ଆସିବାକୁ ଡେରି ଅଛି। ଆଗ ଭଳି ଆଉ ଆଦାୟ ନାହିଁ। ଯେଉଁଠି କୋଳି ଆଦାୟ ହେଉଛି ସେମାନଙ୍କ ପାଇଁ ନିଅଁଟ। ସହରକୁ କମ୍‌ ଆସେ। ଅଳ୍ପ ଦିନ ପାଇଁ ଆସେ। ନ ସରିଲେ ଆମର ଲସ୍‌। ସେଗୁଡିକ ଶୀଘ୍ର ଶଢିଯାଏ। ସହରରେ ସେସବୁ ନେଇ ଆଚାର ବା କିଏ କରୁଛି?
କୋଳି ଦେଖୁ ଦେଖୁ ଝିଅର ଆନନ୍ଦ କହିଲେ ନ ସରେ। କୋଳି ନ ଧୋଇ ପାଟିକୁ ଗୋଟେ ନେଇଗଲା। ସତରେ ପାଚିଲା ବରକୋଳି ପିଲାଙ୍କୁ କେତେ ଆନନ୍ଦ ଦିଏ! ସେଓ, କମଳା, ଅଙ୍ଗୁର ତା’ର ସ୍ଥାନ ନେଇପାରିବନି। କୋଳି କଥା ଭାବୁ ଭାବୁ କେତେ କଥା ମନେପଡିଗଲା। ଦିନେ କୋଣାର୍କ ମନ୍ଦିର ନିର୍ମାଣରେ ନିମଗ୍ନ ଥିବା ବିଶୁ ମହାରଣା ବାରି ବରକୋଳି ଦେଖି ପୁଅକୁ ଚିହ୍ନିଥିଲା। ମା’ ତା’ର ଗାମୁଛା କାନିରେ ବାନ୍ଧିଦେଇଥିଲା ବାରି ବରକୋଳି। ଜନ୍ମରୁ ଦେଖି ନ ଥିଲା ଧରମା ତା’ ବାପା ବିଶୁକୁ। ବାରି ବରକୋଳି ବିଶୁର ଆଖି ଲୁହରେ ଧୋଇ ହୋଇଯାଉଥିଲା। ଘର, ବାଡି, ବରକୋଳି ଗଛ ଦର୍ପଣରେ ମୁହଁ ଦିଶିଲା ପରି ଗୋଟା ପରେ ଗୋଟେ ଦିଶିଗଲା। ଆଉ ବରକୋଳିର ସ୍ବାଦ ମନେ ପଡିଗଲା। ପୁଅକୁ ନ ଚିହ୍ନିବ କେମିତି? ପୁଅକୁ ଜାବୁଡି ଧରିଲା। ଉଭୟଙ୍କ ରକ୍ତରେ ରହିଛି ବାରି ବରକୋଳିର ସତ୍ତା, ରକ୍ତର ସମ୍ପର୍କ।
ସମୟକ୍ରମରେ ଯତ୍ନର ଅଭାବରୁ କେବଳ ବରକୋଳି ଗଛ କାହିଁକି ଅନେକ ଉପାଦେୟ କୋଳିଗଛ ବାଡି ବଗିଚା, ଗାଁ ପାହାଡ଼ରୁ ହଜିଗଲାଣି। ବାପା ବଳଦ ଧରି ଧାନ ବେଙ୍ଗଳା ପକାଇବାକୁ ରାତି ଅଧରୁ ଖଳାକୁ ଯାଆନ୍ତି। ହାତରେ ଲଣ୍ଠନ ଥାଏ। ଭାଲୁକୁ ଦେଖି ବଳଦମାନେ ଅଟକି ଗଲେ। ମା’ ଭାଲୁ ଗଛ ଉପରେ। ଛୁଆ ଭାଲୁ ଗଛ ମୂଳରେ। ମା’ ଭାଲୁ ଗଛ ଡାଳ ହଲାଉଥିଲା। ଯାହା ଝଡୁଥିଲା ଛୁଆ ଖାଉଥିଲେ।
ବରକୋଳି ସହିତ ଆମ ସଂସ୍କୃତି ବନ୍ଧା। ପ୍ରତ୍ୟେକ ଶୁଭ କାମରେ ଦୂବ, ବରକୋଳି ପତ୍ର, ଅରୁଆ ଚାଉଳ ଖୋଜାଯାଏ। ବରକୋଳିପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ସେଥିରେ ମଧ୍ୟ ରହିଛି ପୋଷକ ତତ୍ତ୍ୱ। ଅତୀତରୁ ଆଜିଯାଏ ବରକୋଳି ଗଛକୁ ଖୋଜାଯାଉଛି। ବରକୋଳି ବିଭିନ୍ନ ପ୍ରକାରର। ଦେଶୀ ଆଉ ଫାର୍ମ। ଦେଶୀ ବରକୋଳି ମଧ୍ୟ ଅନେକ ପ୍ରକାରର। କେଉଁ କୋଳି ବାଲିଚିଆ ଲାଗେ, କେଉଁ କୋଳି ଖୁବ ସୁଆଦିଆ। ସେହିପରି ଆକୃତି ଦୃଷ୍ଟିରୁ କାହାକୁ ଚକା ବରକୋଳି ବା ଆଉ କାହାକୁ କାକୁଡିଆ ବା ନଡିଆ କୋଳି କୁହାଯାଏ। ସେ ଯାହାହେଉ ସବୁ ବରକୋଳି ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏହା ରୁଚିକାରକ ଓ ବଳକାରକ। ଶରୀରରେ ଶୁକ୍ର ଧାତୁ ବୃଦ୍ଧିକରେ। ଏହାର ଛାଲି, ପତ୍ର, ମଞ୍ଜିରେ ଅନେକ ପ୍ରକାର ଔଷଧୀୟ ତତ୍ତ୍ୱ ରହିଛି। ଯେଉଁମାନଙ୍କର ଗଳା ବସିଯାଏ, ସ୍ବରଭଙ୍ଗ ହୁଏ ବରକୋଳିପତ୍ରକୁ ଗୁଆ ଘିଅରେ ଭାଜି ସୈନ୍ଧବ ଲବଣ ମିଶାଇ ଖାଇଲେ ଉପକାର ମିଳେ। ଲାଳରକ୍ତ ଝାଡା ହେଉଥିଲେ ଗଛର ଛେଲିକୁ ଶୁଖାଇ ଗୁଣ୍ଡ କରି ଛେଳି କ୍ଷୀରରେ ଖାଇଲେ ରକ୍ତ ପଡିବା ବନ୍ଦ ହୁଏ। ବରକୋଳି ପତ୍ର ସିଝାଇ କୁଳି କଲେ ପାଟି ଘା’ ଭଲ ହୁଏ। ହାତପାଦ ଜଳାପୋଡା ହେଉଥିଲେ ପତ୍ରକୁ ବାଟି ହାତପାଦରେ ବୋଳିଲେ ଏହା ଦୂରହୁଏ। ସ୍ତନ ଏବଂ ତଳିପେଟର ଢିଲାପଣ ଦୂର କରିବା ପାଇଁ ଏହାର ପତ୍ର ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରଲେପ ଦିଆଯାଏ। ପତ୍ରରସ ସହିତ ମିଶ୍ରି ମିଶାଇ ଖାଇଲେ ଦୁର୍ବଳତା ଦୂର ହୁଏ। ଏଇ ଗଛଟି ଭାରି ଉପକାରୀ। ବଢିବା ପାଇଁ ବହୁତ ଦିନ ଲାଗେ। ଡାଳରେ କଣ୍ଟା ଥିବାରୁ ଫସଲ ସୁରକ୍ଷା ପାଇଁ ବାଡ ଦିଆଯାଏ।
ଦିନକୁ ଦିନ ଏ ବରକୋଳି ଗଛ ସଂଖ୍ୟା କମିଗଲାଣି। ଆମ ରାଜ୍ୟ ବରକୋଳି ଗଛ ଚାଷ ପାଇଁ ଉତ୍ତମ। ଏହାର ଅନେକ ଦେଶୀ ପ୍ରଜାତି ନଷ୍ଟ ହୋଇଗଲାଣି। ଆଉ ଖୋଜିଲେ ମିଳିବ ନାହିଁ। ତେଣୁ ଆଜିଠୁ ଆମକୁ ସଜାଗ ହେବାକୁ ପଡିବ। କେବଳ କେନ୍ଦୁଝର, ମୟୂରଭଞ୍ଜ, ବଉଦ ଅଞ୍ଚଳରୁ ସଂଗ୍ରହ କରାଯାଇ ସହରକୁ ଆସୁଛି। ବାଡି ବଗିଚାରେ, ଗାଁ ଜଙ୍ଗଲରେ ବରକୋଳି ଗଛ ଲଗାଇବା ଉଚିତ। କେବଳ ବରକୋଳି ନୁହେଁ କଣ୍ଟେଇକୋଳି, ନରକୋଳି, କେରେଣ୍ଡା କୋଳି, ଅଁଳା କୋଳି, କସେଇ କୋଳି, ଆଖୁ କୋଳି, କ୍ଷୀରିକୋଳି, ବଇଁଚକୋଳି ସବୁ ବିଲୁପ୍ତ ହେବାକୁ ବସିଲାଣି। ଏଗୁଡିକ ଉଭୟ ଖାଦ୍ୟ ଓ ଔଷଧ ରୂପେ ବ୍ୟବହାର କରାଯାଏ। ସଂକଳ୍ପ କରି ବାଡିବଗିଚା, ଗାଁ ପାହାଡରେ ଏସବୁ ଗଛ ଲଗେଇବା। ପଶୁପକ୍ଷୀ ଓ ଆଗାମୀ ଦିନର ପିଲାମାନଙ୍କ ପାଇଁ ହଜିଯାଉଥିବା କୋଳିଗଛକୁ ସାଇତିବା ଆମ ଦାୟିତ୍ୱ।

ଡା. ବାସୁଦେବ ପ୍ରଧାନ

ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା’ ଛକ, ଭୁବନେଶ୍ୱର
ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri