ବର୍ଷାରେ ଭାସିଗଲା ଖୁସି : ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି

ପାରାଦୀପ,୨୭।୮(ସ୍ବ.ପ୍ର.): ପାରାଦୀପରେ ରବିବାର ସର୍ବାଧିକ ୮୯ ମିମି ବର୍ଷା ହୋଇଛି। ଏଥିରେ ନୋଳିଆ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ସ୍କୁଲ ଘର ଭିତରେ ଆଣ୍ଠୁଏ ବର୍ଷାପାଣି ଜମି ରହିବା ଫଳରେ ଉଜ୍ଜଳ-ଉତ୍‌ଥାନ କାର୍ଯ୍ୟକ୍ରମ ପୁସ୍ତିକା, ଖୁସି ଯୋଜନାରେ ଛାତ୍ରୀଙ୍କ ପାଇଁ ଆସିଥିବା ୩ ମାସର ନାପ୍‌କିନ, ପଙ୍ଖା, ବିଦ୍ୟୁତ୍‌ ସରଞ୍ଜାମ, ମହାପୁରୁଷମାନଙ୍କ ଫଟୋଚିତ୍ର, ସ୍କୁଲର ରେକର୍ଡପତ୍ର ଆଦି ନଷ୍ଟ ହୋଇଯାଇଛି। ବିଦ୍ୟାଳୟର ଶ୍ରେଣୀଗୃହ ଓ ଅସ୍ଥାୟୀ କକ୍ଷ ମଧ୍ୟରେ ଏଭଳି ପାଣି ଜମି ରହିବା ଫଳରେ ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ସୋମବାର ବାଧ୍ୟହୋଇ ଛୁଟି ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଶିକ୍ଷୟିତ୍ରୀ ଶିକ୍ଷକ ଓ କେତେଜଣ ଛାତ୍ରୀଛାତ୍ର ମିଶି ଦିନତମାମ ଶ୍ରେଣୀଗୃହରୁ ଥାଳି ଓ ବାଲ୍‌ଟିରେ ପାଣି ସଫା କରିଛନ୍ତି। ସେହିପରି ବର୍ଷାରେ ଭିଜିଯାଇଥିବା ବହିପତ୍ର ବାହାରେ ଶୁଖାଇବାରେ ପିଲାମାନଙ୍କ ଦିନ କଟିଥିଲା। ଛୁଟି ହେବାରୁ ଉକ୍ତ ବିଦ୍ୟାଳୟରେ ପଢୁଥିବା ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୯୫ ଛାତ୍ରୀଛାତ୍ର ପାଠପଢା ଓ ମଧ୍ୟାହ୍ନଭୋଜନ ଖାଇବାରୁ ବଞ୍ଚତ୍ତ ହେଲେ। ଏପରି ଅବ୍ୟବସ୍ଥା ୨୦୧୩ ଫାଇଲିନ ବାତ୍ୟା ପରେ ଅନେକଥର ଘଟିଲାଣି। କିନ୍ତୁ ଏହାର ସ୍ଥାୟୀ ପ୍ରତିକାର କରାଯାଇପାରୁନାହିଁ। ସ୍କୁଲ ଘର ବାରମ୍ବାର ଭାଙ୍ଗୁଛି। ଉକ୍ତ ଘରକୁ ଗତ ୬ବର୍ଷ ମଧ୍ୟରେ ସର୍ବଶିକ୍ଷା ଅଭିଯାନ ଓ ପାରାଦୀପ ପୌରପାଳିକା ପକ୍ଷରୁ ୩ ଥର ମରାମତି କରାଗଲାଣି। ଏଥିପାଇଁ ପ୍ରାୟ ୮ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହୋଇସାରିଲାଣି। ଏହା ସତ୍ତ୍ୱେ ସାମାନ୍ୟ ବର୍ଷାରେ ଶ୍ରେଣୀକକ୍ଷରେ ପାଣି ପଶୁଛି। ସୂଚନା ଅନୁଯାୟୀ ଏହି ସ୍କୁଲ ସମ୍ମୁଖରେ ରହିଛି ପୌର ପାଳିକାର କଙ୍କ୍ରିଟ ରାସ୍ତା। ସେହି ରାସ୍ତା ଓ ସ୍କୁଲ କାନ୍ଥ ମଝିରେ ଛୋଟ ଡ୍ରେନ୍‌ ରହିଛି। ରାସ୍ତା ପତ୍ତନଠାରୁ ଶ୍ରେଣୀଗୃହ ୨ ଫୁଟ ତଳେ ରହିଛି। ଫଳରେ ସ୍ବଳ୍ପ ବର୍ଷା ହେଲେ ମଧ୍ୟ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହେଉଛି।
୧୯୮୬ରୁ ଚାଲିଥିବା ଉକ୍ତ ବିଦ୍ୟାଳୟକୁ ନେଇ ଅନେକ ବିବାଦ ରହିଛି। ୨୦୧୮ ନଭେମ୍ବର ପର୍ଯ୍ୟନ୍ତ ଉକ୍ତ ସ୍କୁଲରେ ପାଣି, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥା ନ ଥିଲା। ୨୦୧୩ ଅକ୍ଟୋବର ୧୩ ଫାଇଲିନ ବାତ୍ୟା ପର୍ଯ୍ୟନ୍ତ ଉକ୍ତ ସ୍କୁଲ ଦୁଇଟି ସିପ୍ଟରେ ଚାଲୁଥିଲା। କାରଣ ଶ୍ରେଣୀଗୃହ ଅଭାବ ଯୋଗୁ ପିଲା ବସିବାକୁ ଜାଗା ହେଉନ ଥିଲା। ତେଣୁ ଦୁଇଟି ସିଫ୍ଟରେ ପିଲାମାନେ ବିଦ୍ୟାଳୟ ଆସୁଥିଲେ। ଫଳରେ ସକାଳ ଓଳି ଆସୁଥିବା ପିଲାମାନେ ମଧ୍ୟାହ୍ନଭୋଜନ ଖାଇପାରୁ ନ ଥିଲେ। ଫାଇଲିନ ବାତ୍ୟାରେ ସ୍କୁଲ ଛାତ ଭାଙ୍ଗିଯାଇଥିଲା। ସେତେବେଳେ ମାସାଧିକ କାଳ ଆପଣାଛାଏଁ ପାଠପଢା ବନ୍ଦ ରହିଲା। ପରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଶ୍ରେଣୀଗୃହ ମରାମତି ଓ ଅସ୍ଥାୟୀ ଘର ନିର୍ମାଣ ହେଲା। ନିମ୍ନମାନର କାର୍ଯ୍ୟ ଯୋଗୁ ୨ଲକ୍ଷ ୮୦ ହଜାର ଟଙ୍କାରେ ନିର୍ମିତ ନୂଆଘର ବର୍ଷକ ମଧ୍ୟରେ ଭାଙ୍ଗିଗଲା। କିନ୍ତୁ ସେତେବେଳେ ୨୦୧୪ ହୁଡ୍‌ହୁଡ୍‌ରେ ଉକ୍ତ ଘର ଭାଙ୍ଗିଯାଇଥିବା ଦର୍ଶାଗଲା। ଏହା ପରେ ପୌର ପରିଷଦ ପକ୍ଷରୁ ୩ ଲକ୍ଷ ୩୦ ହଜାର ୮୦୦ ଟଙ୍କା ବ୍ୟୟରେ ମରାମତି ଓ ରଙ୍ଗ କରାଯାଇଥିଲା। ପରେ ସେହି ଅସ୍ଥାୟୀ ଘରକୁ ଏକ ଘରୋଇ ସ୍କୁଲ ନିଜ ଅଧୀନକୁ ନେଇଗଲା। ବହୁ ବିବାଦ ପରେ ସେଠାରେ ସରକାରୀ ସ୍କୁଲ ପିଲା ବସିବା ସହ ସିଫ୍ଟ ବ୍ୟବସ୍ଥା ବନ୍ଦ ହେଲା। ଗତ ଫନୀ ବାତ୍ୟାରେ ପୁଣି ସେହି ପୁରୁଣା ସ୍କୁଲ ଘର ଛାତ ଭୁଶୁଡ଼ି ପଡିଲା। ଏହା ପରେ ସ୍କୁଲର ପାଠପଢା ୩ଟି ସ୍ଥାନରେ ଚାଲିଲା। କିଛିଦିନ ପୋସ୍କୋ ବିଲ୍ଡିଂ ଓ ପରେ ଏକ ମଦ ଦୋକାନ ବାରଣ୍ଡା, ଗୋଷ୍ଠୀଗୃହ ବାରଣ୍ଡା ଓ ଖୋଲା ସ୍ଥାନରେ ପାଠପଢା ହେଲା। ଏମିତି ବ୍ୟବସ୍ଥା ମଧ୍ୟରେ ଗତ ଜୁନ/ଜୁଲାଇ ମାସରେ ପୌର ପାଳିକା ଛାତ ହଟାଇ ଆଜବେଷ୍ଟସ ପକାଇଛି। ଏ ବାବଦରେ ୨ଲକ୍ଷ ୪୦ ହଜାର ୮୯୦ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ଘର ମରାମତି ହେବାର ମାସେ ନ ପୁରୁଣୁ ବର୍ଷା ପାଣି ପଶି ସମସ୍ତ କାଗଜପତ୍ର ଓ ବହି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ସେହି ସ୍କୁଲ ପାଇଁ ଆଉ ଏକ ସ୍ଥାନରେ ନୂତନ ଗୃହ ନିର୍ମାଣ କରିବାକୁ ଫଳକ ଲଗା ହେଲାଣି। ୨୦୦୪ରୁ ଶିକ୍ଷା ବିଭାଗ ପୌର ପାଳିକାରୁ ଅଲଗା ହେବା ପରେ ପୌର ପାଳିକା କିଛି ମରାମତି କରିପାରୁ ନ ଥିଲା। ସମସ୍ତ କାର୍ଯ୍ୟ ସର୍ବଶିକ୍ଷା ଯୋଜନାରେ ହେଉଥିଲା। ଏବେ ପୌର ପାଳିକା ମରାମତି ଓ ନୂତନ ଗୃହ ନିର୍ମାଣ କରୁଛି। ଉକ୍ତ ବାବଦ ଅର୍ଥ ସର୍ବଶିକ୍ଷା ପୌର ପାଳିକାକୁ ଦେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାଶଙ୍କୁ ପଚାରିବାରେ ସେ କହିଲେ ଯେ, ବର୍ଷାରେ ଖୁସି ଯୋଜନାରେ ମିଳିଥିବା ନାପକିନ ଓ ବହି ନଷ୍ଟ ହେବା ଖବର ପାଇଛି। ପାରାଦୀପରେ ସ୍କୁଲ ଘର ପାଇଁ ଜାଗା ଅଭାବ ଥିବାରୁ ଏପରି ହେଉଥିବା କହି ସେ ନିଜ ଅସହାୟତା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ଫୁଟିତ ହେବେ ପ୍ରତିଭା

ଅନୁଗୋଳ ଅଫିସ, ୯ା୭ ବଦଳିବ ଅନୁଗୋଳ କ୍ରିକେଟ୍‌ର ଭାଗ୍ୟ। ପ୍ରସ୍ଫୁଟିତ ହେବେ ଜିଲା କ୍ରିକେଟ୍‌ ପ୍ରତିଭା। ଉଜ୍ଜ୍ୱଳ ହେବ ଏଠାକାର ଖେଳାଳିଙ୍କ ଭବିଷ୍ୟତ। ଏପରି ସମ୍ଭାବନା...

ହାଣ୍ଡିଖାଲ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେଶନ: ମାଓବାଦୀ କ୍ୟାମ୍ପ ଠାବ

ଚିତ୍ରକୋଣ୍ଡା,୨୪।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ପଣସପୁଟ ପଞ୍ଚାୟତ ଗୋରାସେତୁ ନିକଟ ହାଣ୍ଡିଖାଲ ଜଙ୍ଗଲରେ ରବିବାର ବିଏସ୍‌ଏଫ ଯବାନ ସର୍ଚ୍ଚ ଅପରେଶନ...

କ୍ୱାରାଣ୍ଟାଇନ ଅବଧି ସରିବା ପରେ ସ୍ବାସ୍ଥ୍ୟକର୍ମୀ ଭାବେ ଲୋକଙ୍କ ସେବା କରିବେ; ଏଥିପାଇଁ ନିଆଯାଉଛି କୋଭିଡ୍‌-୧୯ କ୍ଲାସ୍‌: ଜିଲାପାଳ

ଛତ୍ରପୁର, ୧୧।୫(ଡି.ଏନ୍‌.ଏ. ): ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଗଞ୍ଜାମ ଜ଼ିଲାକୁ ଫେରି କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଛନ୍ତି। ସେଠାରେ ପ୍ରବାସୀଙ୍କ କ୍ୱାରାଣ୍ଟାଇନ ଅବଧି ସରିବା...

ପାରୋଲରେ ଗଲେ ୫ କଏଦୀ

କେନ୍ଦୁଝର,୧୫ା୫(ଡି.ଏନ.ଏ.)-କରୋନା ସଂକ୍ରମଣ ବଢ଼ୁଥିବାବେଳେ ଜେଲରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କଏଦୀ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଜ୍ଜା କାଟୁଥିବା...

ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଖୋର୍ଦ୍ଧା ଅଫିସ,୨।୩ : ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ସବୁ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଟାର୍ଗେଟ ନାହିଁ କହି ସମିତି ସମ୍ପାଦକ...

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୨୫ା୭(ଡି.ଏନ୍‌.ଏ.): ଗଣମାଧ୍ୟମକୁ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ...

୨ ଜଣଙ୍କୁ ଚାପିଦେଲା ଟ୍ରକ୍‌, ଜଣେ ଗୁରୁତର

କେନ୍ଦୁଝର,୯ା୨(ସ୍ବ.ପ୍ର.): ଚମ୍ପୁଆ ଥାନା ରଘୁଆଳ ସାହିରେ ଏନ୍‌ଏଚ୍‌ ୭୨୦ରେ ଏକ ବାଇକ୍‌ ଉପରେ ଅଜଣା ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୭।୬- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ପୋଲସରା ଥାନା ସୋଡ଼କ ଗ୍ରାମପଞ୍ଚାୟତ ମଦରଙ୍ଗାପଲ୍ଲୀ ଗ୍ରାମର ଗନ୍ଧର୍ବ...

Advertisement
Archives

Model This Week