‘ଫନୀ’ ପରଠୁ ଅଣ୍ଟା ସଳଖି ପାରିନାହାନ୍ତି କୁମ୍ଭକାର: ଶ୍ରୀମନ୍ଦିରରେ କୁଡ଼ୁଆ ସଙ୍କଟ

ପୁରୀ ଅଫିସ, ୨୮ା୭: ଆଉ ୬ ଦିନ ପରେ ‘ଫନୀ’କୁ ପୂରିବ ୩ମାସ। ହେଲେ ଏ ଯାଏ ଅଣ୍ଟା ସଳଖି ପାରିନାହାନ୍ତି କୁମ୍ଭକାର। ବାତ୍ୟାରେ ଭାଙ୍ଗିଯାଇଥିବା ଶାଳଘର ଏବେ ବି ମାଟି କାମୁଡ଼ି ପଡ଼ିରହିଛି। ନିଜ କୌଳିକ ବୃତ୍ତିର ଭବିଷ୍ୟତକୁ ନେଇ କୁମ୍ଭକାରମାନେ ସନ୍ଦିହାନ ଥିବାବେଳେ ଏହାର ପ୍ରଭାବ ଶ୍ରୀମନ୍ଦିରରେ ପରିଲକ୍ଷିତ ହେଲାଣି। ଆନନ୍ଦ ବଜାରରେ ଧୀରେ ଧୀରେ ଦେଖାଦେଲାଣି କୁଡ଼ୁଆ ସଙ୍କଟ। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିର ଏକମାତ୍ର ମାଧ୍ୟମ କୁଡ଼ୁଆର ଅଭାବ ଏବେ ସୁଆର ମହାସୁଆର ସେବକଙ୍କଠାରୁ ଆରମ୍ଭ କରି ଭକ୍ତଙ୍କୁ ବି ବିଚଳିତ କଲାଣି। ଅନ୍ୟପକ୍ଷରେ ସମୁଦ୍ରକୁ ଶଙ୍ଖେ ସଦୃଶ ପ୍ରଶାସନ ଯେଉଁ ସହାୟତା ରାଶି ଘୋଷଣା କରିଥିଲା ତାହା ଏ ପର୍ଯ୍ୟନ୍ତ ସବୁ କୁମ୍ଭକାରଙ୍କ ପାଖରେ ପହଞ୍ଚତ୍ ପାରିନାହିଁ। ପେଟପାଟଣା ପାଇଁ ସଂଘର୍ଷ କରୁଥିବା କୁମ୍ଭକାରମାନେ କେମିତି ତାଙ୍କ ଶାଳଘରକୁ ଠିଆ କରିବେ ଆଉ ନିଜ କୌଳିକ ବୃତ୍ତିକୁ ବଞ୍ଚାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିିଛନ୍ତି।
ତ୍ରୟୋଦଶ ଶତାବ୍ଦୀରେ ଶ୍ରୀମନ୍ଦିରରେ ଶଙ୍ଖୁଡ଼ି ଭୋଗର ପ୍ରଚଳନ ପରଠାରୁ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ହାଣ୍ଡିକୁଡ଼ୁଆର ଆବଶ୍ୟକ ପଡ଼ିଲା। ଏହା ଏକମାତ୍ର ମନ୍ଦିର, ଯେଉଁଠି ମାଟିହାଣ୍ଡିରେ ପ୍ରସ୍ତୁତ ଭୋଗ ମହାପ୍ରଭୁ ମଣୋହି କରିଥାନ୍ତି। ତେଣୁ ବଡଦେଉଳକୁ ମାଟିରେ ନିର୍ମିତ ହାଣ୍ଡିକୁଡ଼ୁଆ ଯୋଗାଇଦେବା ଲାଗି ପୁରୀ ସହର ଓ ଆଖପାଖରେ ଗଢିଉଠିଥିଲା କୁମ୍ଭକାର ବସ୍ତି। ଏମିତି କି ପୁରୀ ସହରର ଏକ ସାହିରେ ସଂଖ୍ୟାଧିକ କୁମ୍ଭକାର ବସବାସ କରୁଥିବାରୁ ତାହାର ନାମ କୁମ୍ଭାରପଡ଼ା ରହିଛି। ଏହାବ୍ୟତୀତ ଜେନାପୁର, ନବକଳେବର ରୋଡ଼ ନୂଆସାହି, ଟିକରପଡ଼ା ସମେତ ପୁରୀ ସଦର, ସତ୍ୟବାଦୀ, ବ୍ରହ୍ମଗିରି, ଗୋପ ବ୍ଲକର ବିଭିନ୍ନ ଗ୍ରାମରେ ମଧ୍ୟ କୁମ୍ଭକାରମାନେ ବାସ କରୁଛନ୍ତି। ପୁରୀ ସହରର କୁମ୍ଭକାରମାନେ କୁମ୍ଭକାର ନିଯୋଗ ମାଧ୍ୟମରେ ଶ୍ରୀମନ୍ଦିରକୁ ହାଣ୍ଡି କୁଡୁଆ ଯୋଗାଇ ଆସୁଥିଲେ ମଧ୍ୟ କିଛିବର୍ଷ ହେବ ବ୍ରହ୍ମଗିରି, ସତ୍ୟବାଦୀ, ପୁରୀ ସଦର ଓ ଗୋପ ଅଞ୍ଚଳରୁ ହାଣ୍ଡିକୁଡୁଆ ଶ୍ରୀମନ୍ଦିରକୁ ଯୋଗାଣ ହେଉଛି। ଆବଶ୍ୟକ କଞ୍ଚାମାଲ ଏବଂ ସରକାରୀ ପ୍ରୋତ୍ସାହନ ଅଭାବ ସାଙ୍ଗକୁ ଦରଦାମ ବୃଦ୍ଧି ଯୋଗୁ ବହୁ ଯୁବ କୁମ୍ଭକାର ଏହି କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି। ତଥାପି ମହାପ୍ରଭୁଙ୍କ ସେବାରେ ଅବହେଳା ନ କରି ଅନେକ ବୟୋଜ୍ୟେଷ୍ଠ କୁମ୍ଭକାର ହାଣ୍ଡିକୁଡୁଆ ତିଆରି କରି ବଡ଼ଦେଉଳକୁ ଯୋଗାଇ ଆସୁଛନ୍ତି। ଦୈନିକ ଶ୍ରୀମନ୍ଦିରକୁ ୮ରୁ ୧୦ ଗାଡ଼ି (ସ୍ବତନ୍ତ୍ର ଭାବେ କାଠରେ ନିର୍ମିତ ହାତଟଣା ଗାଡ଼ି)ରେ ବିଭିନ୍ନ ପ୍ରକାର ହାଣ୍ଡି କୁଡ଼ୁଆ ଯୋଗାଇ ଦିଆଯାଉଥିବା ବେଳେ ପର୍ବପର୍ବାଣି ଦିନରେ ବରାଦ ମୁତାବକ ଅଧିକ ଦିଆଯାଇଥାଏ। କୁମ୍ଭକାର ନିଯୋଗ ଏବଂ ଅନ୍ୟ କେତେକ ହାଣ୍ଡି ବ୍ୟବସାୟୀଙ୍କ ମାଧ୍ୟମରେ କୁମ୍ଭକାରମାନେ ସୁପକାରମାନଙ୍କୁ ଏହା ଯୋଗାଇଥାନ୍ତି। ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ବାଇହାଣ୍ଡି, ସମାଧି ହାଣ୍ଡି, ଦାସିଆ, ଏମାର, ବଡ଼ମଠ, ସାନମଠ, ନମ୍ବରୀ, ଢଳା ଏବଂ ଭାତ କୁଡୁଆ ସହିତ ବିଭିନ୍ନ ପ୍ରକାର ଓଳି ଯଥା ଅଙ୍ଗବାସ ଓଳି, ସାନ ଚକ, ବଡ଼ ଚକ, ବଢା, ତରାଓଳି, ବଡ଼ତରା ଓଳି ଇତ୍ୟାଦି ଯୋଗାଣ ହୋଇଥାଏ। ସ୍ବତନ୍ତ୍ର ଭାବେ ମହାପ୍ରଭୁଙ୍କ କୋଠଭୋଗ ସେବା ପାଇଁ ତାଡ଼, ପାହାନ୍ତି, କଟସରା, ନିମାଳି, ଦୀପ, ବଢା, ନମ୍ବରୀ ଏବଂ ମେଞ୍ଚାଏ ମାଟି ଶ୍ରୀମନ୍ଦିର ପ୍ରଶାସନକୁ କୁମ୍ଭକାରମାନେ ଯୋଗାଇଥାନ୍ତି।
ଗତ ମେ ୩ ତାରିଖ ବାତ୍ୟା ଫନୀରେ ବେସାହାରା ହୋଇପଡ଼ିଛନ୍ତି କୁମ୍ଭକାର। ଶାଳ, ଭାଟି ଏବଂ ବିଭିନ୍ନ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ପୁରୀ ସହରରେ ୪୦୦ରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ବାସ କରୁଥିବାବେଳେ ବାତ୍ୟାରେ ୨୩୧ ପରିବାରର ଶାଳଘର ଓ ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଛି। ଏହାବ୍ୟତୀତ ପୁରୀ ସଦରର ପ୍ରାୟ ୧୫୦, ବ୍ରହ୍ମଗିରିର ୪୦୦, ସତ୍ୟବାଦୀର ୯୦ ଏବଂ ଗୋପ ବ୍ଲକର ୧୦୦ରୁ ଊର୍ଦ୍ଧ୍ୱ ପରିବାର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସମସ୍ତ କ୍ଷତିଗ୍ରସ୍ତଙ୍କୁ ତତ୍କାଳ ୮,୨୦୦ ଟଙ୍କା ଲେଖାଏ ଯୋଗାଇଦେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଇତିମଧ୍ୟରେ ପୁରୀ ସହରର ୧୯୦ ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କିନ୍ତୁ ପୁରୀ ସହରର ଅବଶିଷ୍ଟ, ପୁରୀ ସଦର, ସତ୍ୟବାଦୀ ଓ ଗୋପ ବ୍ଲକର କୌଣସି କ୍ଷତିଗ୍ରସ୍ତଙ୍କୁ ଏହି ସହାୟତା ଦିଆଯାଇନାହିଁ।
ସାଧାରଣତଃ ଏପ୍ରିଲ ଓ ମେ ମାସରେ କୁମ୍ଭକାରମାନେ ବର୍ଷକ ପାଇଁ ମାଟି, କାଠ, ବାଲି, ଝାଉଁ ଝାଟି ଓ ଛଣ ଇତ୍ୟାଦି କଞ୍ଚାମାଲ ସଂଗ୍ରହ କରି ରଖିଥାନ୍ତି। ଚଳିତବର୍ଷ ମେ ମାସ ପ୍ରାରମ୍ଭରେ ବାତ୍ୟା ଯୋଗୁ ଅନେକ କୁମ୍ଭକାର କଞ୍ଚାମାଲ ସଂଗ୍ରହ କରିପାରି ନ ଥିଲେ। ଯେଉଁମାନେ ସଂଗ୍ରହ କରିଥିଲେ ତାହା ବର୍ଷା, ପବନରେ ନଷ୍ଟ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ଶାଳଘର, ଚକ ଏବଂ କଞ୍ଚାମାଲ ନଷ୍ଟ ହୋଇଥିବାବେଳେ ପ୍ରଶାସନିକ ସହାୟତା ୮,୨୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ ବୋଲି କୁମ୍ଭକାର ନିଯୋଗ ସଦସ୍ୟ ମହେନ୍ଦ୍ର ବିଶୋଇ କହିଛନ୍ତି। ଅପରପକ୍ଷେ ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାବେଳେ କୁମ୍ଭକାରମାନେ ସେମାନଙ୍କ ଶାଳଘର ଓ ଭାଟି ପୁନଃନିର୍ମାଣ କରିପାରିନାହାନ୍ତି। ଫଳରେ ହାଣ୍ଡିକୁଡ଼ୁଆ ପ୍ରସ୍ତୁତି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସାଧାରଣତଃ ବର୍ଷାଋତୁରେ ହାଣ୍ଡିକୁଡ଼ୁଆ ପ୍ରସ୍ତୁତି ହ୍ରାସ ପାଉଥିବାବେଳେ ଚଳିତବର୍ଷ ଏହି ସମସ୍ୟା ଦୁଇଗୁଣା ହୋଇଛି। ଏହାର ପ୍ରଭାବ ଏବେଠୁ ଶ୍ରୀମନ୍ଦିରରେ ପରିଲକ୍ଷିତ ହେଲାଣି।
ଏ ସମ୍ପର୍କରେ ସୁଆର ସେବକ ଭୁବନେଶ୍ୱର ପଣ୍ଡା କହିଛନ୍ତି, ବରାଦୀ ଭୋଗ ପାଇଁ କୁଡ଼ୁଆର ସଙ୍କଟ ଦେଖାଦେଲାଣି। ପୂର୍ବରୁ ଯେଉଁ କୁଡ଼ୁଆ ୫ହଜାର ଟଙ୍କାରେ କିଣୁଥିଲୁ ଏବେ ଏହା ୧୩ହଜାର ଟଙ୍କାରେ କିଣୁଛୁ। ବାତ୍ୟା ପରଠାରୁ କୁଡ଼ୁଆ ଦର ବଢିବାରେ ଲାଗିଛି, ଆଗକୁ ମଧ୍ୟ ଆହୁରି ବଢିପାରେ। କୁଡ଼ୁଆର ଅଭାବ ପରୋକ୍ଷରେ ମହାପ୍ରସାଦ ଦର ଉପରେ ପଡୁଛି। ଏଥିପାଇଁ ସୁଆର ସେବକଙ୍କୁ ଦାୟୀ କରାଯିବା ଠିକ୍‌ ନୁହେଁ। ଏହାର ସମାଧାନ ନେଇ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରିବା ଜରୁରୀ। ସେହିପରି
ଶ୍ରୀମନ୍ଦିର ରାଜସ୍ବ ଉପପ୍ରଶାସକ ମଧୁସୂଦନ ଦାଶ କହିଛନ୍ତି, ପୁରୀ ସହର ଏବଂ ବ୍ରହ୍ମଗିରି ବ୍ଲକର ସମସ୍ତ କୁମ୍ଭକାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖୁବ୍‌ଶୀଘ୍ର ଆଲଟମେଣ୍ଟ ଚାଲିଆସିଲେ ପୁରୀ ସଦର ଏବଂ ଅନ୍ୟାନ୍ୟ ବ୍ଲକର କୁମ୍ଭକାରଙ୍କୁ ସହାୟତା ଦିଆଯିବ। କୁଡ଼ୁଆ ସମ୍ପର୍କରେ ସେ କହିଥିଲେ, କୋଠଭୋଗ ପାଇଁ କୁଡ଼ୁଆର କୌଣସି ଅଭାବ ନାହିଁ। ବରାଦୀ ମହାପ୍ରସାଦ ପାଇଁ କୁଡୁଆର ଅଭାବ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇନାହିଁ।
(ରିପୋର୍ଟ-ହେମନ୍ତ କୁମାର ନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri